ସ୍ୱଚ୍ଛ ଗାଁର ସ୍ୱପ୍ନ ମଝିରେ ଅଳିଆର ପାହାଡ଼, ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ଜନଜୀବନ
ସିନାପାଲି, ୧୦/୦୯ (ଭଞ୍ଜଦୂତ) ଧର୍ମେନ୍ଦ୍ର କୁମାର ଗହିର)
ସ୍ୱଚ୍ଛ ଓ ସୁନ୍ଦର ଗାଁ ଗଠନ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଅଭିଯାନ ଚାଲିଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଅନ୍ୟ କିଛି କହୁଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଏକ ପ୍ରମୁଖ ରାସ୍ତା କଡ଼ରେ ଦିନକୁ ଦିନ ଅଳିଆ ଆବର୍ଜନା ଜମା ହୋଇ ଏକ ବଡ଼ ଅଳିଆ ପାହାଡ଼ର ରୂପ ନେଇଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଗନ୍ଧରେ ଅତିଷ୍ଠ ହେବା ସହ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ରାସ୍ତା କଡ଼ରେ ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍, ଖାଦ୍ୟ ପ୍ୟାକେଟ୍, କାଗଜ ଓ ବିଭିନ୍ନ ପ୍ରକାରର ଘରୋଇ ଆବର୍ଜନା ପଡ଼ି ରହିଛି। ଅନେକ ସମୟରେ ଆବର୍ଜନା ରାସ୍ତା ଉପରକୁ ମଧ୍ୟ ଆସିଯାଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବର୍ଷା ହେଲେ ଆବର୍ଜନା ସହ ମିଶି ମଇଳା ପାଣି ଚାରିଆଡ଼େ ପ୍ରବାହିତ ହେଉଥିବାରୁ ଅଞ୍ଚଳର ପରିବେଶ ଆହୁରି ଦୂଷିତ ହେଉଛି। ଏହି ସ୍ଥାନରେ ନିୟମିତ ଭାବେ ଆବର୍ଜନା ପକାଯାଉଥିବାରୁ ଦିନକୁ ଦିନ ଅଳିଆର ପରିମାଣ ବଢ଼ିଚାଲିଛି। ଫଳରେ ଦୁର୍ଗନ୍ଧ ସହ ମଶା, ମାଛି ଓ ବିଭିନ୍ନ କୀଟପତଙ୍ଗଙ୍କ ଉପଦ୍ରବ ବଢ଼ିବାର ଆଶଙ୍କା ରହିଛି। ଏହା ଆଗାମୀ ଦିନରେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।ସ୍ୱଚ୍ଛତା ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା ଓ ଅର୍ଥ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ରାସ୍ତା କଡ଼ରେ ଏଭଳି ଆବର୍ଜନା ଜମା ହେବା ଘଟଣା ପ୍ରଶାସନ ଓ ସ୍ଥାନୀୟ ବ୍ୟବସ୍ଥାର ସ୍ୱଚ୍ଛତା ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ଏହି ଅଞ୍ଚଳରେ ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ।
ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ରାସ୍ତା କଡ଼ରୁ ଆବର୍ଜନା ସଫା କରିବା ସହ ନିୟମିତ ଭାବେ ଆବର୍ଜନା ସଂଗ୍ରହ କରିବାକୁ ଦାବି କରିଛନ୍ତି। ଏଥିସହ ରାସ୍ତା କଡ଼ରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଆବର୍ଜନା ପକାଇବା ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।
ସ୍ୱଚ୍ଛତା ଅଭିଯାନ କେବଳ କାଗଜପତ୍ରରେ ସୀମିତ ନ ରହି, ଏହାର ବାସ୍ତବ ପ୍ରଭାବ ଗାଁ ଓ ରାସ୍ତାଘାଟରେ ଦେଖାଯାଉ—ଏହା ହିଁ ସ୍ଥାନୀୟ ଲୋକଙ୍କ ଦାବି।
