ସୋର ଥାନାରେ ଶାନ୍ତି କମିଟି ବୈଠକ : ଡିଜେକୁ ନା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ଆଗାମୀ ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳା ଏବଂ ଭାଇଚାରା ମଧ୍ୟରେ ପାଳନ କରିବା ପାଇଁ ସୋର ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୂଜା କମିଟିର କର୍ମକର୍ତ୍ତା ଏବଂ ସାମାଜିକ କର୍ମୀମାନେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଡିଏସପି ତପସ୍ୱିନୀ କହଁର ଯୋଗଦେଇ ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଶୋଭାଯାତ୍ରା ଏବଂ ମୂର୍ତ୍ତି ବିସର୍ଜନ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଶାନ୍ତିବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ତହସିଲଦାର କୃଷ୍ଣ ମୋହନ ସିଂହ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ଏବଂ ସୋର ଥାନାଧିକାରୀ ଅନୁରାଗ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୂଜା ପାଳନ ସମୟରେ ସରକାରୀ ନିୟମାବଳୀ, ପରିବେଶ ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ପାଇଁ ଆହ୍ୱାନ କରିଥିଲେ। ପୂଜା ମଣ୍ଡପ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଶାସନର ଏହି ପଦକ୍ଷେପ ସୋର ଅଞ୍ଚଳରେ ଏକ ଶାନ୍ତିପୂର୍ଣ୍ଣ ଏବଂ ଆନନ୍ଦଦାୟକ ପରିବେଶରେ ଗଣେଶ ପୂଜା ସମ୍ପନ୍ନ ହେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
