*ବୋଡ଼େନରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୮୦ ଅଭିଯୋଗ ପଞ୍ଜିକୃତ, ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା*
ନୂଆପଡ଼ା( ମିଖାଏଲ ନନ୍ଦ)
, ତା. ୩୧/୦୮:
ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛିl ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ଶିବିରରେ ମୋଟ ୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରୁ ୬୧ଟି ବ୍ୟକ୍ତିଗତ ଓ ୧୯ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ଥିତି ଅନୁଧ୍ୟାନ କରି ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ।ପୂର୍ବରୁ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକର ଫଇସଲା ସ୍ଥିତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ଅଭିଯୋଗ ଗୁଡ଼ିକର ଶୀଘ୍ର ଫଇସଲା କରି ଅଭିଯୋଗକାରୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ଶିବିର ଅବସରରେ ପ୍ରେମ ସୁନାନୀ ଓ ବିଳାସି ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ଦେମତି ପରାଭାଇଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଥିଲା।
ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସେବା ଗ୍ରହଣ କରିଥିଲେ। ଏଥିସହ ସ୍ୱଚ୍ଛତା କର୍ମଚାରୀମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ବନଖଣ୍ଡ ଅଧିକାରୀ, କେନ୍ଦୁପତ୍ର ଏ ମାଧବୀଲତା, ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ ଅଜିଜ୍ ଖାନ, ଏସଡିପିଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସିମ୍, ରୋଶନ କୁମାର ଜେନା, ବୋଡ଼େନ ବିଡିଓ ଚିନ୍ମୟ ସାଗର ଓ ତହସିଲଦାର ସରିତା ଗୁପ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିରରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
