ପ୍ରବଳ ବର୍ଷାରେ ମହାନ୍ତି ପଡ଼ାଶିଆ ଗାଁ ଜଳମଗ୍ନ
___________________
ସାରସକଣା,(୩୧/୮/୨୬):(ନି.ପ୍ର):
ପ୍ରବଳ ବର୍ଷା ଯୋଗୁଁ ସାରସକଣା ବ୍ଲକ ଅନ୍ତର୍ଗତ ଉମାଦେଇପୁର ପଞ୍ଚାୟତର ମହାନ୍ତି ପଡ଼ାଶିଆ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାଜଳ ଗାଁର ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରିବା ଫଳରେ ପ୍ରାୟ ୩୦୦ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।
ଘରଦ୍ୱାର ଓ ଗାଁ ରାସ୍ତାରେ ପାଣି ଜମି ରହିଥିବାରୁ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲୋକମାନେ ଯାତାୟାତ, ପିଇବା ପାଣି ଓ ଆବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଗୃହପାଳିତ ପଶୁମାନଙ୍କ ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାଜଳ ମଧ୍ୟରେ ପଶୁମାନଙ୍କୁ ରଖିବା ଓ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ହୋଇଛି । ଏଭଳି ସଙ୍କଟଜନକ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନର ତତ୍ପରତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନିକ ସହାୟତା, ରିଲିଫ୍ ସାମଗ୍ରୀ, ପିଇବା ପାଣି ଓ ଗୃହପାଳିତ ପଶୁଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଶାସନ କେବେ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବ,ଏବେ ତାହାକୁ ନେଇ ଅପେକ୍ଷା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
