ଗ୍ରାମ ରାସ୍ତା ପାଲଟିଛି ବିପଦସଙ୍କୁଳ, ବର୍ଷାରେ ମାଟି ଧସି ଯାଉଛି।
ବାଲିଗୁଡା : ୩୦/୮ ବାଲିଗୁଡା ବ୍ଲକ ବରଖାମା ପଞ୍ଚାୟତ ଅନ୍ତର୍ଗତ ଦିଗିପଡି ଗ୍ରାମରେ ରାସ୍ତା ପାର୍ଶ୍ୱରେ ଥିବା କେନାଲ ଯୋଗୁଁ ଲୋକଙ୍କ ଚିନ୍ତା ବଢ଼ିଛି। ବର୍ଷା ଦିନ ଆସିଲେ କେନାଲରେ ପାଣି ପ୍ରବାହ ବଢ଼ିବା ସହ ରାସ୍ତା ପାର୍ଶ୍ୱରୁ ମାଟି ଧସି ଧସି ଯାଉଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଧୀରେଧୀରେ ଖାଇ ଯାଉଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ମାଟି ଧସିବା ସମସ୍ୟା ଦେଖାଦେଉଛି। ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ରାସ୍ତାର ଅଧିକ ଅଂଶ ଧସି ଯାଇ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ରହିଛି।
ଵିଶେଷକରି ଗ୍ରାମବାସୀ, ଛାତ୍ରଛାତ୍ରୀ, ଦୁଇଚକିଆ ଯାନ ଚାଳକ ଏବଂ ଜରୁରୀକାଳୀନ ଯାତାୟାତ ପାଇଁ ଏହି ସ୍ଥାନ ବିପଦପୂର୍ଣ୍ଣ ହୋଇପଡ଼ିଛି।
ସ୍ଥାନୀୟ ଲୋକେ ସମ୍ପୃକ୍ତ ବିଭାଗ ଓ ପଞ୍ଚାୟତ ପ୍ରଶାସନଙ୍କୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କେନାଲ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର/ପଥର ପ୍ୟାକିଂ ଓ ଆବଶ୍ୟକ ମରାମତି କାମ କରିବାକୁ ଦାବି କରିଛନ୍ତି।
ସ୍ଥାନୀୟବାସିଙ୍କ ପ୍ରଶ୍ନ—ପ୍ରତିବର୍ଷ ମାଟି ଖାଇଯାଉଥିବା ରାସ୍ତାର ସ୍ଥାୟୀ ସମାଧାନ କରାଯାଉ।
