
ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଜାତୀୟ ସ୍ତରରେ ତାଇକୋଣ୍ଡୋ କ୍ରୀଡ଼ାରେ ଚମକିଛନ୍ତି ସୋର ଝିଅ ଅପରୂପା ଜେନା। ସୂଚନା ଯୋଗ୍ୟ ଉତ୍ତରାଖଣ୍ଡ ହରିଦ୍ଵାର ରତ୍ନାବାଦସ୍ଥିତ ବନ୍ଦନା କାଟାରିଆ ଷ୍ଟାଡିୟମ୍ରେ ଗତ ଜୁନ୍ ୨୯ ତାରିଖ ଦିନ ୪୨ତମ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ହୋଇଥିଲା। ଏଥିରେ ଓଡ଼ିଶା ତାଇକୋଣ୍ଡୋ ଆସୋଶେସନ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଓଡ଼ିଶା ଦଳ ଭାଗ ନେଇଥିଲା | ତେବେ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ମୋଟ ୨୮ଟି ପଦକ ଜିତିଛନ୍ତି । ପଦକ ବିଜେତାଙ୍କ ମଧ୍ୟରେ ସୋରର ଝିଅ ଅପରୂପା ଜେନା (୧୩) ରହିଛନ୍ତି | ସେ ଗୋଟିଏ କାଂସ୍ୟ ପଦକ ଓ ଗୋଟିଏ ରୌପ୍ୟ ପଦକ ଜିତି ଗୌରବ ଅର୍ଜନ କରିଛନ୍ତି | ଏ ନେଇ ସୋର ତହସିଲଦାର ଦୈତାରି ମଲ୍ଲିକ ଏବଂ ଦେବେନ୍ଦ୍ର ପ୍ରସାଦ ଟ୍ରଷ୍ଟର ସଭାପତି ଅଞ୍ଜଳି ଦାସ ଓ ସମ୍ପାଦକ ଚିନ୍ମୟାନନ୍ଦ ଦାସ ଅପରୂପାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି l କୌଶିକ କୁମାର ଜେନା ଓ ସୁନିତା ଜେନାଙ୍କ ସାନଝିଅ ଅପରୂପା ସୋର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି | ସେ ବର୍ତ୍ତମାନ ବ୍ରାଭୋ ତାଇକୋଣ୍ଡୋ ଏକାଡେମିରେ ନିର୍ଦ୍ଦେଶିକା ତଥା ପ୍ରଶିକ୍ଷିକା ଆଦ୍ୟାଶା ଦାସଙ୍କ ଠାରୁ କୋଚିଂ ନେଉଛନ୍ତି।