ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଆମ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି : ବରିଷ୍ଠ କଳାକାର ମହାସଂଘ
ବ୍ରହ୍ମପୁର, ତା. ୨୫/୦୮ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଏବଂ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସୁବାରାଓ ଛକସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ କାର୍ଯ୍ୟାକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥିତଯଶା ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ ଏବଂ କଲିକତା, ଇଷ୍ଟର୍ଣ୍ଣ ଜୋନାଲ କଲଚର ସେଣ୍ଟରର ଜନୈକ କର୍ମଚାରୀ ତଥା ବରିଷ୍ଠ ମଞ୍ଚ ଅଭିନେତା ଶମ୍ଭୁନାଥ ଦାସଙ୍କ ଦିବଂଗତ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନାଟ୍ୟ ନିର୍ଦ୍ଦେଶକ ମଦନ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ଅଜୟ ପାଢ଼ୀ, ନୃତ୍ୟ ନିର୍ଦ୍ଦେଶକ ବି. ପ୍ରସାଦ ରାଓ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଅଭିରାମ ରାଉଳ, କଳାପ୍ରାଣ କୈଳାସ ପାଣିଗ୍ରାହୀ, କଳା ଗୌରବ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ କଳାକାର ହରିଶ୍ଚନ୍ଦ୍ର ବରଡ଼, ଅନିଳ କୁମାର ପାତ୍ର, ପ୍ରମୋଦ କୁମାର ସାହୁ, ସରୋଜ କୁମାର ପଣ୍ଡା, କେ. କାମରାଜୁ ପାତ୍ର, ବଳଦେବ ସାହୁ, ମୃତ୍ୟୁଞ୍ଜୟ ତ୍ରିପାଠୀ ପ୍ରମୁଖ ଦିବଂଗତ ପ୍ରତିଭାଧର ଦ୍ବୟଙ୍କ କୃତିରାଜି ଉପରେ ସିଂହାବଲୋକନ ସହ ବାକ୍ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ସହ ଦିବଂଗତ କଳାକାର ଦ୍ବୟଙ୍କ ସଂକ୍ଷିପ୍ତ ପରିଚିତି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ।
