*ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*
*ମାଲକାନଗିରି, ୨୫/୮/୨୬:*
ରିପୋର୍ଟ – ସୁକୁମାର ମଣ୍ଡଳ
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ, ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
