ପି ଏନ ବି ବ୍ୟଙ୍କ ମ୍ୟାନେଜର ଙ୍କ ଜାତୀୟ ପତାକା କୁ ଅବମାନନା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ଷ୍ଟେସନ ଛକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ୟାଙ୍କ ମ୍ୟାନେଜର ଏକ ଅତ୍ୟନ୍ତ ଅଶାସନିକ ଓ ଅପମାନଜନକ ପଦ୍ଧତିରେ ପତାକା ଉତ୍ତୋଳନ କରିଥିଲେ। ଡ୍ରେନ ମଝିରେ ଏକ ପାଇପ ପୋତି, ତାହାର ଭିତରେ ୧୦ ଏମ୍.ଏମ୍. ରଡ୍ ଗଳାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କେବଳ ସେତିକି ନୁହେଁ, ଜାତୀୟ ପତାକାକୁ ଏକ ପଟକୁ ପ୍ଲାଷ୍ଟିକ ସୁତୁଲି ସାହାଯ୍ୟରେ ବ୍ୟାଙ୍କର ଶଟରରେ ବନ୍ଧାଯାଇଥିଲା।ଦେଶର ମହାନ ଜାତୀୟ ପ୍ରତୀକ ତଥା ତ୍ରିରଙ୍ଗା ପତାକା ପ୍ରତି ବ୍ୟାଙ୍କ ମ୍ୟାନେଜରଙ୍କ ଏପରି ଦାୟିତ୍ୱହୀନ ଓ ଅବହେଳା ପୂର୍ଣ୍ଣ ଆଚରଣ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ବିଷୟ ପାଲିଟିଛି । ଜାତୀୟ ପତାକା ଆଇନ୍ ଓ ସମ୍ମାନକୁ ଜଳାଞ୍ଜଳି ଦେଇ ଏଭଳି କାର୍ଯ୍ୟ କରାଯାଇଥିବାରୁ ସାଧାରଣରେ ଏହାର କଡ଼ା ନିନ୍ଦା କରାଯାଇଛି। ଏହି ଅଭିନବ କିନ୍ତୁ ଅପମାନଜନକ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ଦୋଷୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।ଅନ୍ୟପକ୍ଷରେ ଭାରତୀୟ ଜାତୀୟ ସଂହିତା ଆଇନ ୧୯୭୧ର ଧାରା ୨ ଅନୁସାରେ ଯଦି ଜଣେ ସର୍ବ ସମ୍ମୁଖରେ ଜାତୀୟ ପତାକା କୁ ଅବମାନନା କରନ୍ତି ତେବେ ୩ବର୍ଷ ଜେଲ ଦଣ୍ଡ ବା ଜରିମାନା କିମ୍ବା ଉଭୟ ଜେଲ୍ ଦଣ୍ଡ ଏବଂ ଜରିମାନା ହୋଇପାରେ। କିନ୍ତୁ ଦେଖିବାକୁ ବାକି ରହିଲା ବ୍ଲକ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଜାତୀୟ ସଂହିତା ଆଇନ ଅନୁଯାୟୀ ପି ଏନ୍ ବି ବ୍ରାଞ୍ଚ ଅଧିକାରୀ ଙ୍କ ବିରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
