*ନୂଆପଡ଼ାର ଅଭିନବ ଜୀବିକା ଓ ଗ୍ରାମୀଣ ଉଦ୍ୟୋଗ ପଦକ୍ଷେପ ଅନୁଧ୍ୟାନ କଲା କଳାହାଣ୍ଡି ଓର୍ମାସ୍ ପ୍ରତିନିଧି ଦଳ‘SUP-ମୁକ୍ତ ନୂଆପଡ଼ା’, ଶାଳପତ୍ର ୟୁନିଟ୍ ଓ ‘ନୂଆପଡ଼ା ହାଟ’ ସମ୍ପର୍କରେ ଅଭିଜ୍ଞତା ବିନିମୟ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୪/୦୮:
ସ୍ଥାୟୀ ଜୀବିକା ସୃଷ୍ଟି, ଗ୍ରାମୀଣ ଉଦ୍ୟୋଗର ବିକାଶ, ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନୂଆପଡ଼ା ଜିଲ୍ଲାରେ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ ଓ ଅଭିଜ୍ଞତା ବିନିମୟ ପାଇଁ ଓର୍ମାସ୍, କଳାହାଣ୍ଡିର ଏକ ପ୍ରତିନିଧି ଦଳ ନୂଆପଡ଼ା ଗସ୍ତ କରିଛି।ଗସ୍ତ ସମୟରେ ପ୍ରତିନିଧି ଦଳ ଓର୍ମାସ୍, ନୂଆପଡ଼ା ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜୀବିକା ଓ ଗ୍ରାମୀଣ ଉଦ୍ୟୋଗମୂଳକ ପଦକ୍ଷେପ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟପ୍ରଣାଳୀ, ଉତ୍ପାଦନ, ମୂଲ୍ୟବୃଦ୍ଧି, ବଜାର ସଂଯୋଗ ଓ ଜୀବିକା ସୃଷ୍ଟି ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଅବଗତ ହୋଇଥିଲେ। ସ୍ଥାନୀୟ ସମ୍ବଳର ସଦୁପଯୋଗ କରି ଗ୍ରାମୀଣ ମହିଳାଙ୍କ ପାଇଁ ଆୟ ଓ ରୋଜଗାର ସୁଯୋଗ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ପ୍ରତିନିଧି ଦଳ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ‘SUP-ମୁକ୍ତ ନୂଆପଡ଼ା’ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଏକକ-ବ୍ୟବହାର ପ୍ଲାଷ୍ଟିକ ନିରାକରଣ, ଜନସଚେତନତା, ସାମୁଦାୟିକ ଅଂଶଗ୍ରହଣ, ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକର ପରିବେଶ ଅନୁକୂଳ ବିକଳ୍ପର ପ୍ରଚାର ଉପରେ ମତବିନିମୟ ହୋଇଥିଲା।ଏହାପରେ ପ୍ରତିନିଧି ଦଳ ଓର୍ମାସ୍ ଓ ଗ୍ରାମୀଣ ଶିଳ୍ପ ପାର୍କ ଅଧୀନରେ ପ୍ରୋତ୍ସାହିତ ଶାଳପତ୍ର ୟୁନିଟ୍ ପରିଦର୍ଶନ କରିଥିଲେ। ସେଠାରେ ଶାଳପତ୍ର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାରୀକରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ସମ୍ବଳକୁ ଆଧାର କରି ଏହି ୟୁନିଟ୍ ଗ୍ରାମୀଣ ମହିଳାଙ୍କୁ ଜୀବିକା ସୁଯୋଗ ଯୋଗାଇବା ସହ ଏକକ-ବ୍ୟବହାର ପ୍ଲାଷ୍ଟିକର ଏକ ପରିବେଶ ଅନୁକୂଳ ବିକଳ୍ପ ଭାବେ ଗୁରୁତ୍ୱ ବହନ କରୁଥିବା ପ୍ରତିନିଧି ଦଳ ଅବଗତ ହୋଇଥିଲେ।ଗସ୍ତ ସମୟରେ ଓର୍ମାସ୍, ନୂଆପଡ଼ାର ୱେବସାଇଟ୍ ଏବଂ ଏହା ମାଧ୍ୟମରେ ପରିଚାଳିତ ‘ନୂଆପଡ଼ା ହାଟ’ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସ୍ଥାନୀୟ ଉତ୍ପାଦ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦକୁ ଡିଜିଟାଲ୍ ବଜାର ସହ ସଂଯୋଗ, ପ୍ରଚାର-ପ୍ରସାର, ବଜାର ବିସ୍ତାର ଏବଂ ଉତ୍ପାଦର ଉଚିତ ମୂଲ୍ୟ ନିଶ୍ଚିତ କରିବାରେ ‘ନୂଆପଡ଼ା ହାଟ’ର ଭୂମିକା ଉପରେ ମତବିନିମୟ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଓର୍ମାସ୍ର ଡେପୁଟି CEO ବିଦେଶ ଘୋଷ, ଜିଲ୍ଲା ରିସୋର୍ସ କୋଅର୍ଡିନେଟର (DRC) ଅନୀଲ କୁମାର ଲେଙ୍କାଙ୍କ ସମେତ ଓର୍ମାସ୍, ନୂଆପଡ଼ାର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
