୧୦୮ ବର୍ଷର ପୁରାତନ ବିଦ୍ୟାଳୟର ଭିତ୍ତିଭୂମି ବିକାଶକୁ ମିଳିଲା ନୂଆ ଆଶା
ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା — ବିଦ୍ୟାଳୟକୁ ୩ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ବିଧାୟକ ରୁପେଶ ପାଣିଗ୍ରାହୀ।
ଗଜପତି (ଟିକି ଲିମା)
୧୯୧୮ ମସିହାରେ ପ୍ରତିଷ୍ଠିତ ଗାଇବା ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୧୦୮ ବର୍ଷର ଶିକ୍ଷାଦାନର ଗୌରବମୟ ଇତିହାସ ବହନ କରୁଛି। ଅନେକ ପିଢ଼ିକୁ ଶିକ୍ଷାର ଆଲୋକ ଦେଇଆସୁଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନ ଏବେ ଭିତ୍ତିଭୂମି ବିକାଶ ଦୃଷ୍ଟିରୁ ଅବହେଳିତ ଅବସ୍ଥାରେ ରହିଥିବା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ବିଦ୍ୟାଳୟର ପାଚେରୀକୁ ଲାଗି ରହିଥିବା ବିରାଟକାୟ ଗଛଗୁଡ଼ିକ ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି କରିଛି। ବର୍ଷା, ପବନ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ପରିସ୍ଥିତିରେ ଗଛର ଡାଳ ଭାଙ୍ଗିବା କିମ୍ବା ଗଛ ଉପୁଡ଼ିବା ଭଳି ଘଟଣା ଘଟିବାର ଆଶଙ୍କା ରହିଛି। ଫଳରେ ଏକ ପ୍ରକାର ଆଶଙ୍କା ଓ ଭୟର ପରିବେଶ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟାତ କରୁଥିବା ଅଭିଭାବକମାନେ କହିଛନ୍ତି।
ପୁରାତନ ବିଦ୍ୟାଳୟ ହୋଇଥିବା ସତ୍ତ୍ୱେ ଏହାର ଭିତ୍ତିଭୂମିର ସାମଗ୍ରିକ ବିକାଶ ଦିଗରେ ଦୀର୍ଘଦିନ ଧରି ଆବଶ୍ୟକ ଦୃଷ୍ଟି ଦିଆଯାଇନଥିବା ନେଇ ମଧ୍ୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପରିବେଶକୁ ଅଧିକ ସୁରକ୍ଷିତ, ସୁନ୍ଦର ଓ ଶିକ୍ଷା ଉପଯୋଗୀ କରିବା ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା।
ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଗାଇବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟର ପରିବେଶ, ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସେ ଅବଗତ ହୋଇଥିଲେ। ତୁରନ୍ତ ବିଡିଓ ଏବଂ ବନପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ
ପରିଦର୍ଶନ ସମୟରେ ବିଦ୍ୟାଳୟର ଉନ୍ନତି ପାଇଁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ୩ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ ବୋଲି ବିଧାୟକ ଘୋଷଣା କରିଛନ୍ତି। ଏହି ଅର୍ଥରେ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯିବାର ଆଶା ପ୍ରକାଶ ପାଇଛି।
ଏଥିସହ ବିଦ୍ୟାଳୟର ଆଗାମୀ ଉନ୍ନତି ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏହି ପଦକ୍ଷେପକୁ ଅଭିଭାବକ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଦୀର୍ଘଦିନ ଧରି ଅବହେଳିତ ହୋଇଥିବା ଏହି ପୁରାତନ ବିଦ୍ୟାଳୟର ଭିତ୍ତିଭୂମିରେ ନୂଆ ପରିବର୍ତ୍ତନ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଅଞ୍ଚଳର ଶିକ୍ଷା ବିକାଶରେ ଅବଦାନ ରଖିଥିବା ଗାଇବା ପ୍ରାଥମିକ ବିଦ୍ୟାଳୟ ଏବେ ନୂଆ ରୂପ ପାଇବା ଦିଗରେ ଆଗକୁ ବଢ଼ିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରୀକୁ ଲାଗି ରହିଥିବା ବିରାଟକାୟ ଗଛଗୁଡ଼ିକ ସମ୍ପର୍କରେ ମଧ୍ୟ ଶୀଘ୍ର ପଦକ୍ଷେପ ନିଆଯିବା ଜରୁରୀ ବୋଲି ଅଭିଭାବକ ମହଲରେ ଦାବି ହୋଇଛି।
