ଛତ୍ରପୁରରେ ଯୌତୁକ ନିରୋଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
‘ଝିଅ ଓ ପୁଅଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତୁ, ସମାନ ସୁଯୋଗ ଦିଅନ୍ତୁ’ : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ
ଛତ୍ରପୁର, ତା ୧୧/୦୮/୨୬ : ଯୌତୁକ ଭଳି ଏକ ସାମାଜିକ ବ୍ୟାଧିର ମୂଳୋତ୍ପାଟନ ପାଇଁ କେବଳ ଆଇନର କଡ଼ା କାର୍ଯ୍ୟାନ୍ୱୟନ ଯଥେଷ୍ଟ ନୁହେଁ; ସମାଜର ମାନସିକତାରେ ପରିବର୍ତ୍ତନ ଆସିବା ନିତାନ୍ତ ଆବଶ୍ୟକ ବୋଲି ଯୌତୁକ ନିରୋଧ ଆଇନ, ୧୯୬୧ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।
ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଜଉଗଡ଼ା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣରେ ଯୌତୁକ ନିରୋଧ ଆଇନର ବିଭିନ୍ନ ବ୍ୟବସ୍ଥା, ଯୌତୁକ ସମ୍ପର୍କିତ ଅଭିଯୋଗ ଦାଖଲ ପ୍ରକ୍ରିୟା, ପୁଲିସର ଭୂମିକା, ମହିଳାଙ୍କ ପାଇଁ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ ଯୌତୁକ ବିରୋଧୀ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ କହିଥିଲେ ଯେ, ଆଜିର ଦିନରେ ଝିଅମାନେ ପୁଅମାନଙ୍କ ସହ ସମାନ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଛନ୍ତି। ତେଣୁ ଝିଅ ଓ ପୁଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ ବିଶେଷ କରି ଗ୍ରାମାଞ୍ଚଳର ଝିଅମାନଙ୍କୁ ମଧ୍ୟ ପୁଅମାନଙ୍କ ଭଳି ସମାନ ସୁଯୋଗ ପ୍ରଦାନ କରିବା ଆବଶ୍ୟକ।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପାତ୍ର କହିଥିଲେ ଯେ, ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ପରସ୍ପର ସହ ଜଡ଼ିତ ବିଷୟ। ତେଣୁ ଯୌତୁକ ବିରୋଧୀ ଆଇନ ସମ୍ପର୍କରେ ସଚେତନତା ସହ ଘରୋଇ ହିଂସା ବିରୋଧରେ ମଧ୍ୟ ସଚେତନତା ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଉପରେ ଗୁରୁତ୍ୱ ଦେବା ଦରକାର।
ଆଇନଜୀବୀ ଶ୍ରୀ ଟି. କେ. ରେଡ୍ଡୀ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଥିଲେ ଯେ, କେତେକ ମାମଲାରେ ଯୌତୁକ ସମ୍ପର୍କିତ ଅଭିଯୋଗ ମିଥ୍ୟା କିମ୍ବା ଭିତ୍ତିହୀନ ଭାବେ ଦାଖଲ ହେଉଥିବା ଦେଖାଯାଏ। ତେବେ ଏଭଳି ଘଟଣା ଯୋଗୁଁ ଆଇନର ଉଦ୍ଦେଶ୍ୟ ଓ ଗୁରୁତ୍ୱ କମିଯାଏ ନାହିଁ। ଆଇନ ସମାଜରେ ସମାନତା ଓ ସନ୍ତୁଳନ ସ୍ଥାପନ ପାଇଁ ରହିଛି। ଆଇନର ସଠିକ୍ ବ୍ୟବହାର ସହ ଯୌତୁକ ପ୍ରଥା ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବା ଅଧିକ ଫଳପ୍ରଦ ବୋଲି ସେ ମତ ଦେଇଥିଲେ।
ପ୍ରଶିକ୍ଷଣରେ ଯୌତୁକ ଦେବା, ନେବା କିମ୍ବା ଦାବି କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସ୍ପଷ୍ଟ କରାଯାଇଥିଲା।
ଯୌତୁକ ସମ୍ପର୍କିତ ଅଭିଯୋଗ କିମ୍ବା ଆବଶ୍ୟକ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ୧୮୧ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଏହି ପ୍ରଶିକ୍ଷଣରେ କିଶୋର ନ୍ୟାୟ ବୋର୍ଡର ସଦସ୍ୟା ସି. ଏଚ. ଜ୍ୟୋତି କୁମାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଛତ୍ରପୁର ଡା. ଅଲେଖ ପ୍ରଧାନ, ପ୍ରକଳ୍ପ ଅଧିକାରିଣୀ ଡି. ନାଗରତ୍ନମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଉପେନ୍ଦ୍ର ବେହେରା, ଗୀତାଞ୍ଜଳି ମହାରଣା, ସମୀର କୁମାର ପାତ୍ର, କର୍ମଚାରୀ ଓ ପ୍ରଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
