*ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଚଲାନ ପଡା ରେ ପଲ୍ଲୀବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ*କୃଷକ ଓ ମହିଳା ସଶକ୍ତୀକରଣ, ସ୍ଥାୟୀ ଜୀବିକା ଏବଂ ସର୍ବସମାବେଶୀ ବିକାଶ ପାଇଁ ଏକତ୍ର ପ୍ରୟାସ* ।
ନୂଆପଡା(ମିଖାଏଲ ନନ୍ଦ)
ତା-୧୧/୦୮
ନୂଆପଡ଼ା ଜିଲ୍ଲାର ଚଲାନପଡ଼ା ସ୍ଥିତ ନିଜ କାର୍ଯ୍ୟାଳୟ ପରିସରରେ ପଲ୍ଲୀବିକାଶର ୨୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଖଡ଼ିଆଳ ଓ ବୋଡ଼େନ ବ୍ଲକର ଉନ୍ନତ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେତ୍ରୀ ତଥା ସ୍ଥାନୀୟ ଜନପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶ୍ରୀ ଭକଲୁ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଫଳତା ସମୀକ୍ଷା, ବାର୍ଷିକ ବିବରଣୀ ପ୍ରଦାନ, ଆଗାମୀ ବର୍ଷ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଏବଂ ଭବିଷ୍ୟତ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମତାମତ ଓ ପରାମର୍ଶକୁ ସାମିଲ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅକ୍ଷୟ ନନ୍ଦ, ବରିଷ୍ଠ ସାମ୍ବାଦିକ ଶ୍ରୀ ମୋତିଲାଲ ବାଗ, ବୋଡ଼େନ ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁଃଖୀରାମ ଟୁଡୁ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶ୍ରୀ ଶମ୍ଭୁକିଶୋର ଦଣ୍ଡସେନା, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନରସିଂହ ଜଗତ, ବୋଡ଼େନ ‘ଆତ୍ମା’ (ATMA) ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ସେଠୀ ଏବଂ ଶିକ୍ଷାବିତ୍ ଶ୍ରୀ ନନ୍ଦଲାଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁଧାଂଶୁ ଶେଖର ବାରିକ ଗ୍ରାମ୍ୟ ବିକାଶ, କୃଷକଙ୍କ ଆୟ ବୃଦ୍ଧି, ମହିଳା ସଶକ୍ତୀକରଣ ଏବଂ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ।ପଲ୍ଲୀବିକାଶର ସମ୍ପାଦକ ଡ. ସୁରେଶ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିବା ସହ ସଂଗଠନର ପ୍ରମୁଖ ସଫଳତା, ଜୀବିକା ସମ୍ବନ୍ଧୀୟ ପଦକ୍ଷେପ, ସାମାଜିକ ପ୍ରଭାବ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ହିତାଧିକାରୀମାନେ ନିଜର ପ୍ରେରଣାଦାୟକ ସଫଳତା ଓ ଅଭିଜ୍ଞତା ବାଣ୍ଟିଥିଲେ ଏବଂ କୃଷି ଭିତ୍ତିକ ତଥା ଜୀବିକା ନିର୍ବାହ କାର୍ଯ୍ୟକ୍ରମ ସେମାନଙ୍କ ପାରିବାରିକ ଆୟ ବୃଦ୍ଧି ସହ ସାମାଜିକ ଓ ଅର୍ଥନୈତିକ ବିକାଶରେ କିପରି ସହାୟକ ହୋଇଛି, ସେ ବିଷୟରେ ବର୍ଣ୍ଣନା କରିଥିଲେ।ଏହି ଅବସରରେ ସମାଜ ବିକାଶରେ ଉଲ୍ଲେଖନୀୟ ଅବଦାନ ତଥା ସଫଳତା ପାଇଁ ୧୦ଟି ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨୦ ଜଣ ଉନ୍ନତ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ସହଦେବ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଭକ୍ତ ଚରଣ ବାଗ ଧନ୍ୟବାଦ ଅର୍ପଣ କରିଥିଲେ,ନିମ୍ନଲିଖିତ ସଂକଳ୍ପ ସହିତ କାର୍ଯ୍ୟକ୍ରମଟି ଉଦ୍ଯାପିତ ହୋଇଥିଲା”ସ୍ଥାୟୀ ବିକାଶ ପାଇଁ ଲୋକଙ୍କ ସହ, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଭିତ୍ତି କରି କାର୍ଯ୍ୟ କରିବା।”
ପଲ୍ଲୀବିକାଶ – ସମାଜର ସଶକ୍ତୀକରଣ, ଜୀବିକାର ସୁଦୃଢ଼ୀକରଣ, ପରିବର୍ତ୍ତନର ସ୍ଥାୟୀତ୍ୱ।
