*ଦୁଃଖୀ ଜନତାଙ୍କ ସାହାରା ସାଜିଲେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ; ପଲିଥିନ ତଳେ ରହୁଥିବା ଗରିବ ପରିବାରକୁ ବଢ଼ାଇଲେ ସହାୟତାର ହାତ,*
ନୂଆପଡା(ମିଖାଏଲ ନନ୍ଦ)
ତା -୧୦/୦୮:
ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ୱାର୍ଡ ନମ୍ବର-0୨ ବାସିନ୍ଦା ବିଶାଳ ତାଣ୍ଡିଙ୍କ ପରିବାର ଦୀର୍ଘ ଦିନ ହେବ ନିଜସ୍ୱ ଜମି ବା ଘର ନଥାଇ ଅନ୍ୟ ସ୍ଥାନରେ ପଲିଥିନ ଟାଣି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ। ବର୍ଷା ଦିନେ ପଲିଥିନ ତଳେ ପାଣି ଗଳିବା ଯୋଗୁଁ ସେମାନଙ୍କ ସ୍ଥିତି ଆହୁରି କଷ୍ଟକର ହୋଇପଡ଼ିଥିଲା। ଏହି ସମୟରେ ପରିବାରର ମୁଖ୍ୟ ବିଶାଳ ତାଣ୍ଡି ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ବାରମ୍ବାର ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ ମଧ୍ୟ ପରିବାରକୁ କୌଣସି ସୁଫଳ ମିଳିନଥିଲା।ତେବେ ଗଣମାଧ୍ୟମରେ ଏହି ସମ୍ପର୍କିତ ଅସହାୟତାର ଖବର ପ୍ରକାଶ ପାଇବା ପରେ ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିଛନ୍ତି। ସେ ନିଜ ପକେଟରୁ ବିଶାଳଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କାର ନଗଦ ସହାୟତା ପ୍ରଦାନ କରିବା ସହ ଏକ ମାସର ରାସନ ସାମଗ୍ରୀ ଓ ତ୍ରିପାଳ ଯୋଗାଇ ଦେଇଛନ୍ତି। ଏହା ସହିତ ପରିବାରକୁ ତୁରନ୍ତ ରାସନ କାର୍ଡ ପ୍ରଦାନ କରାଯାଇଛି। ସବିତା ବଞ୍ଜାରାଙ୍କ ନାମରେ ଗୋଟିଏ ଡିସିମିଲ ଜମି ଲେଖି ଦିଆଯିବା ପରେ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରତିଶ୍ରୁତି ଦେଇଛନ୍ତି।ଏହି ସହାୟତା ପ୍ରଦାନ ସମୟରେ ଏନଏସି ଇଓ ସ୍ୱାଧୀନ କେତନ ମହାରଣା, କାଉନସିଲର ସୁବୀର ସିଂ ଦେଓ, ଚନ୍ଦନ ସାହୁ, ଲକ୍ଷ୍ମଣ ଦୁରିଆ, ସୁନିଲ କୁମାର ସାହୁ, ବଜରଙ୍ଗ ଭୋଇ ଏବଂ ସାମାଜିକ କର୍ମୀ ହେମନ୍ତ ମନହାରେ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷଙ୍କ ଏଭଳି ତ୍ୱରିତ ସହାୟତା ପାଇଁ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ତାଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି। ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟ ପାଇଁ ଗଣମାଧ୍ୟମ ରେ ସେ ପ୍ରଶଂସା ର ପାତ୍ର ହୋଇଛନ୍ତି।
