ପ୍ରଭୁ ଗୋରେଖନାଥ ଙ୍କ ପୀଠରେ ହଜାର ହଜାର କାଉଡିଆଙ୍କ ଧାଡ଼ି।
ରଘୁନାଥପୁର(ନି.ପ୍ର): ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପିଠରେ ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳଲାଗି କରିଛନ୍ତି। ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସତ୍ତ୍ୱେ ମାନସିକଧାରୀ ମାନେ ବିଭିନ୍ନ ଘାଟରୁ ପାଣି ଉଠାଇ ପ୍ରଭୁଙ୍କ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ରବିବାର ଠାରୁ ପୀଠରେ କାଉଡିଆମାନଙ୍କ ଗହଳି ଆରମ୍ଭ ହୋଇଥିଲା।ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପୀଠ ପ୍ରଶାସନ ପକ୍ଷରୁ ରାତି ୧ ଟାରୁ ପ୍ରଭୁଙ୍କ ନୀତି ସମାପନ ପରେ ଭକ୍ତମାନେ ପ୍ରଭୁଙ୍କୁ ଜଳଲାଗି କରିଥିଲେ। ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପୋଲିସ ପକ୍ଷରୁ ପୀଠ ଓ ବିଭିନ୍ନ ସ୍ଥାନରେ ପୋଲିସମାନଙ୍କୁ ନିୟୋଜିତ କରାଯାଇଥିଲା। ବିଭିନ୍ନ ସେଛାସେବି ସଙ୍ଗଠନ ପକ୍ଷରୁ ପୀଠ ପରିସରରେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ସେବା ଯୋଗାଇଥିଲେ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୀଠ ପକ୍ଷରୁ ପର୍ଯ୍ୟାପ୍ତ ପାନୀୟଜଳ, ଶୌଚାଳୟ ସହ ଆଲୋକିକରଣ ବ୍ୟବସ୍ଥା କରାଯାଇଥିଲା। ଏହାଛଡା ରହିବା ପାଇଁ ଟେଣ୍ଟ ଓ ଫାଷ୍ଟେଡ ର ବି ସୁବିଧା କରାଯାଇଥିଲା।ପୀଠ ସମ୍ମୁଖ ରାସ୍ତାର କେତେକ ସ୍ଥାନରେ ଥିବା ଖାଲଖମା ମରାମତି ହୋଇନଥିବାରୁ ଅନେକ କାଉଡ଼ିଆ ଜାଣିନପାରି ଖାଲରେ ପଡି ଆହତ ହୋଇଥିବା ଘଟଣା ଦେଖିବାକୁ ମିଳିଥିଲା। ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବାବେଳେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ, ତିର୍ତ୍ତୋଲ ଥାନା ଅଧିକାରୀ ବଂଶିଧର ପ୍ରଧାନ ଓ ରଘୁନାଥପୁର ଥାନା ଅଧିକାରୀ ପ୍ରେମଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
