ଯାଜପୁର/ବିଞ୍ଝାରପୁର (ସରୋଜ କୁମାର ଧଳ) : ଲଘୁଚାପ ବର୍ଷା ଯୋଗୁ ଗଭୀର ଚାଷ ଜମି ଜଳମଗ୍ନ
ଏବେ ଖରିଫ ଧାନ ଚାଷ ପାଇଁ ସମୟ ଉପନୀତ ହୋଇଥିବା ବେଳେ ଏଥିପାଇଁ କାଦୁଅ ତଳି ପକାଇବା ସକାଶେ ଚାଷୀ ଭାଇମାନେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏପରିସ୍ଥଳେ ବିଞ୍ଝାରପୁର ଓ ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କାରଣରୁ କୃଷକ ମାନେ ଚିନ୍ତାରେ ପଡିଯାଇଛନ୍ତି। ବିଶେଷ କରି ବ୍ଲକ ଅଞ୍ଚଳରେ ଦୁଇଦିନ ହେବ ବର୍ଷା ଲାଗିରହିଛି। ଯେଉଁ ଚାଷୀ ଭାଇମାନେ ତଳି ପକାଇବା ପାଇଁ ବାଡ଼ିତଳ ଓ ଉପଯୁକ୍ତ ଜମି ହଳ କରି ସେଗୁଡିକ ପ୍ରସ୍ତୁତ କରିଥିଲେ ତାହା ଏବେ ଲଘୁଚାପ ଯୋଗୁ ଉବୁଟୁବୁ ହେଉଛି। ମୁଖ୍ୟତଃ ପାଣି ଗଛିତ ରଖିବା ଭଳି ଚାଷ ଜମିରେ ତଳି ପକାଇବା ପାଇଁ ବେଉଷଣ କରାଯାଇଥାଏ। ଆବଶ୍ୟକରୁ ଅଧିକ ପାଣି ହେଲେ ସେଥିରେ ତଳି ନଷ୍ଟ ହେବା ଭଳି ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ଯେଉଁ ଚାଷୀ ଭାଇ ମାନେ ବର୍ଷା ପୂର୍ବରୁ ଅଳ୍ପ କିଛି ଜମିରେ ତଳି ପକାଇଥିଲେ ତାହା ଏବେ ନଷ୍ଟ ହୋଇଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ବ୍ଲକ ଅଞ୍ଚଳରେ ଦୃତ ଜଳ ନିଷ୍କାସନ ପାଇଁ ଵ୍ୟାପକ ବ୍ୟବସ୍ଥା ନଥିବାରୁ ବହୁ ଚାଷ ଜମି ଏବେ ଜଳମଗ୍ନ ହୋଇଯାଇଛି। ବ୍ଲକର, ରାମଚନ୍ଦ୍ରପୁର, ତଳବନ୍ଧ, ବରପଦା, କପିଳା, ନାଗପୁରା,ଚିକଣା, ବିଞ୍ଝାରପୁର, ସିଂହ ପୁର, ନାଉବାଙ୍କ, ଫଳ ପୁର, ହଳଦିଢିଅ ପ୍ରମୁଖ ଅଞ୍ଚଳରେ ଥିବା ଖାଲୁଆ ଜମି ଗୁଡିକ ବର୍ଷା ପାଣିରେ ବୁଡ଼ିଯାଇଛି। ଦୁଇ ଚାରିଦିନ ଭିତରେ ଲଘୁଚାପ ଜନିତ ବର୍ଷା ବଢିବା ଆଶଙ୍କା ରହିଥିବାରୁ ଜମି ବେଉଷଣ ଓ ତଳି ପକାଇବା କାମ ବିଳମ୍ବ ହେବ ବୋଲି ଚାଷୀ ମାନଙ୍କ ନିକଟରୁ ଜଣାପଡିଛି।
