*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକI ରାଜସ୍ୱ ଆଦାୟ ବୃଦ୍ଧି, କୃଷକ ପଞ୍ଜୀକରଣ ଓ ଜମି ସମ୍ବନ୍ଧୀୟ ମାମଲାର ତ୍ୱରିତ ସମାଧାନ ଉପରେ ଜ଼ିଲ୍ଲାପାଳଙ୍କ ଗୁରୁତ୍ୱ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୭/୦୮:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ନିୟମିତ ଭାବେ ଟୁର୍ ଡାଏରୀ ଦାଖଲ କରିବା ସହ କ୍ଷେତ୍ର ପରିଦର୍ଶନକୁ ଅଧିକ ଫଳପ୍ରଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନାର ସଫଳ ରୂପାୟନ ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ କ୍ଷେତ୍ରସ୍ତରରେ ଅଧିକ ସକ୍ରିୟ ରହିବାକୁ ସେ ପରାମର୍ଶ ଦେଇଥିଲେ।
କୃଷକ ପଞ୍ଜୀକରଣର ସମୀକ୍ଷା ବେଳେ ଜିଲ୍ଲାପାଳ ପ୍ରତ୍ୟେକ ସପ୍ତାହରେ ତହସିଲ ସ୍ତରରେ ଏହାର ସମୀକ୍ଷା କରି ବଳକା ଆବେଦନଗୁଡ଼ିକର ଶୀଘ୍ର ଅନୁମୋଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମୋଟ ୩୩,୭୭୬ ଜଣ କୃଷକଙ୍କ ପଞ୍ଜୀକରଣ ହୋଇଥିବା ବେଳେ ୧୪,୯୧୨ଟି ଆବେଦନ ଅନୁମୋଦନ ହୋଇଛି ଏବଂ ୫୭୮ଟି ଆବେଦନ ଅନୁମୋଦନ ପାଇଁ ବାକି ରହିଛି।
ରାଜସ୍ୱ ଆଦାୟର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ସମସ୍ତ ବିଭାଗକୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ଅଧିକ ଉଦ୍ୟମ କରିବାକୁ କହିଥିଲେ। ଜୁଲାଇ ଶେଷ ସୁଦ୍ଧା ଜିଲ୍ଲାରେ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ବାବଦକୁ ୪ କୋଟି ୭୧ ଲକ୍ଷ ୧୬ ହଜାର ୧୧୮ ଟଙ୍କା ସଂଗ୍ରହ ହୋଇଥିବା ବେଳେ ପରିବହନ ବିଭାଗ ୪ କୋଟି ୭୯ ଲକ୍ଷ ୬୭ ହଜାର ୭୩୩ ଟଙ୍କା ରାଜସ୍ୱ ସଂଗ୍ରହ କରିଛି।ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ‘ହେଲମେଟ୍ ହବ୍’ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ସହ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ ପ୍ରତି ମାସରେ ଅତି କମରେ ପାଞ୍ଚ ଦିନ କ୍ଷେତ୍ର ପରିଦର୍ଶନ କରି ଜନସଚେତନତା ସୃଷ୍ଟି ଓ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଜିଲ୍ଲାରେ ଖଣିଜ ରାଜସ୍ୱ ବାବଦକୁ ୭୦.୨୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ବେଳେ ବେଆଇନ ଖଣିଜ ଉତ୍ତୋଳନ ବିରୋଧୀ କାର୍ଯ୍ୟାନୁଷ୍ଠାନରୁ ୩୩.୯୭ ଲକ୍ଷ ଟଙ୍କା ଆଦାୟ କରାଯାଇଛି।ଜମି ସମ୍ବନ୍ଧୀୟ ମାମଲା ଓ ମ୍ୟୁଟେସନ୍ର ସମୀକ୍ଷା କରି ଜିଲ୍ଲାପାଳ ଶୀଘ୍ର ଫଇସଲା ଉପରେ ଗୁରୁତ୍ୱ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ୫,୯୧୯ଟି ମ୍ୟୁଟେସନ୍ ମାମଲାରୁ ୩,୯୩୮ଟିର ଫଇସଲା ହୋଇଥିବା ବେଳେ ଅବଶିଷ୍ଟ ମାମଲାଗୁଡ଼ିକୁ ତ୍ୱରିତ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ରାଜସ୍ୱ ଗ୍ରାମରେ ‘ଗୋଚର ଜମି ବଞ୍ଚାଓ ଅଭିଯାନ’ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଏହି ଅବସରରେ ସିନାପାଲି ତହସିଲର ମୋହନ ହଂସଙ୍କୁ ରାଜସ୍ୱ ପ୍ରଶାସନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍କୃଷ୍ଟ ସମନ୍ୱୟ, ସତନିଷ୍ଠା ଓ ଜନହିତକର କାର୍ଯ୍ୟ ପାଇଁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତୀ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନାସିମ, ସମସ୍ତ ତହସିଲଦାର, ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
