ଗଜପତିରେ ‘TEJAS’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ।
ଗଜପତି (ଟିକି ଲିମା)
ଗଜପତି ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘TEJAS (Transforming Entrepreneurial Journeys Across States & Districts)’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ସୋମବାର ସେଞ୍ଚୁରିଅନ୍ ୟୁନିଭର୍ସିଟି (CUTM), ପାରଳାଖେମୁଣ୍ଡି ଅଡିଟୋରିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉଦ୍ୟୋଗୀତା ହେଉଛି ଆତ୍ମନିର୍ଭର ଭାରତ ଗଠନର ମୂଳ ଆଧାର। ଗଜପତି ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଚିନ୍ତାଧାରା ଓ ନବପ୍ରବର୍ତ୍ତନକୁ ସଠିକ୍ ମାର୍ଗଦର୍ଶନ ମିଳିଲେ ସେମାନେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହୋଇପାରିବେ। ଏହି ଏକଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଯୁବ ଉଦ୍ୟୋଗୀ, ନବପ୍ରବର୍ତ୍ତକ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଯୁବକ-ଯୁବତୀମାନେ ଉଦ୍ୟୋଗୀତା ସମ୍ପର୍କିତ ସଚେତନତା, ମେଣ୍ଟରଶିପ୍, ଦକ୍ଷତା ବିକାଶ, ସରକାରୀ ସହାୟତା ଯୋଜନା ଓ ବଜାର ସହ ସଂଯୋଗ ସ୍ଥାପନର ସୁଯୋଗ ପାଇପାରିବେ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କ୍ୟୁଆର୍ (QR) କୋଡ୍ ସ୍କାନ୍ କରି ଅନଲାଇନ୍ ପଞ୍ଜିକରଣର ବ୍ୟବସ୍ଥା କରାଯାଇଥିଲା। ଗଜପତି ସମେତ ଆଖପାଖ ଅଞ୍ଚଳର ଉଦ୍ୟୋଗୀ ହେବାକୁ ଇଚ୍ଛୁକ ଯୁବକ-ଯୁବତୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଓ ନବପ୍ରବର୍ତ୍ତକମାନଙ୍କୁ ଏହି ସୁଯୋଗର ସଦ୍ବ୍ୟବହାର କରିବାକୁ ଆୟୋଜକ ପକ୍ଷରୁ ଆହ୍ୱାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, DPIITର ସିଇଓ ତଥା ଗଜପତିର ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ସେଞ୍ଚୁରିଅନ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡି.ଏନ୍. ରାଓ, ଭାଇସ୍ ଚେୟାରମ୍ୟାନ୍ ମୁକ୍ତିକାନ୍ତ ମିଶ୍ର, ପ୍ରଫେସର ଦୁର୍ଗା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।
ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଶିକ୍ଷାବିଦ୍, ସଫଳ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୟୋଗୀତା ବିକାଶ, ନବପ୍ରବର୍ତ୍ତନ, ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ।
‘TEJAS’ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଉଦ୍ୟୋଗୀତାର ପ୍ରସାର, ନୂତନ ଷ୍ଟାର୍ଟଅପ୍ ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ ଭାବେ ଗଢ଼ି ତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
