-ପୋଲିସକୁ ସଫଳତା : ଲକ୍ଷାଧିକ ଟଙ୍କାର ଗହଣା,ମୋବାଇଲ ଫୋନ ଜବତ : ୩ ଗିରଫ
( ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ )
ମୋରଡା – ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସକୁ ଡକାୟତ ଓ଼ ଚୋରି ମାମଲାରେ ଏକ ବଡ଼ ସଫଳତା ମିଳିଛି। ଏନେଇ ବେତନଟୀ ଏସଡିପିଓ ମିନତୀ ବିଶ୍ଵାଳ ଓ଼ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଆଜି ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ଉକ୍ତ ଥାନା ଅଧୀନ ବଡ଼ାମ ଛକ ନିକଟରେ ଗତକାଲି ରାତିରେ ପୋଲିସ ନାକା ଚେକିଂ କରୁଥିବା ସମୟରେ ଏକ ବାଇକ ଯୋଗେ ଦୁଇଜଣ ଯୁବକ ଯାଉଥିବା ସମୟରେ ପୋଲିସ ସନ୍ଦେହ କରି ଅଟକାଇ ପଚାରାଉଚୁରା କରିଥିଲା ଏବଂ ଏମାନଙ୍କ ନିକଟରୁ ୩୫୮ଗ୍ରାମ ରୂପା ଗହଣା ଜବତ କରିବା ଏମାନଙ୍କ ଗିରଫ ମଧ୍ୟ କରିଛି ପୋଲିସ। ଗିରଫ ଦୁଇଜଣ ଯୁବକ ହେଲେ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟ ଗ୍ରାମର ଏସକେ. ସୁଲତାନ ଏବଂ ନଜିମ ଖାନ। ଏନେଇ ଥାନାରେ ୪୧୨/୨୬ରେ ମାମଲା ରୁଜୁ ହୋଇଛି। ତେବେ ଏମିତି ଚୋରି ହେଉଥିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଞ୍ଚଳର ସେକ.କାଲାଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସୂଚନା ମୁତାବକ, ଗତ ଜୁନ ୨୭ ତାରିଖ ବିଳମ୍ବିତ ରାତିରେ ଉକ୍ତ ଥାନା ଅଧୀନ ମାଣିଦାସ୍ଥିତ କୃଷ୍ଣଚନ୍ଦ୍ର ଗହଣା ଦୋକାନରୁ ସୁନା ଓ଼ ରୂପା ଗହଣା କିଛି ଦୁର୍ବୁତ୍ତ ଚୋରି କରିଥିଲେ ଏବଂ ଏହା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏନେଇ ପୋଲିସ ୪୦୧/୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଏବଂ ଟେକ୍ନିକାଲ ଟିମ ଆଧାରରେ ଉକ୍ତ ଚୋରିର ମୁଖ୍ୟ ସେକ.କାଲାଙ୍କୁ ଗିରଫ କରିଛି ପୋଲିସ ଏବଂ ୭୫୦ଗ୍ରାମର ରୂପା ଗହଣା, ୩୫ଟି ରୂପା ପଲା ଯାହାର ଆନୁମାଲିକ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଉକ୍ତ ମାମଲାରେ ଗିରଫ ତିନି ଜଣ ଯୁବକଙ୍କ ନିକଟରୁ ୯ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
