୫ ଦିନ ପରେ ନିଖୋଜ ବାପାକୁ ଆଦର୍ଶ ଯୁବ ପରିଷଦ ମାଧ୍ୟମରେ ପାଇଲା ପୁଅ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ , ନିପ୍ର):: ଆଗରପଡା ଥାନା ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ରବିନ୍ଦ୍ର କଟୁଆଳ ବୟସ ୭୦ ଗତ୫ ଦିନ ହେବ ଘରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକ ଙ୍କ ସହ ଗ୍ରାମବାସୀ ମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ। ଗତକାଲି ସୋର ଥାନା ଜଡିଦା ଗ୍ରାମ ଗଙ୍ଗେଇ ଛକରେ ସ୍ଥାନୀୟ ବାସିନ୍ଦା ସଞ୍ଜୟ ଦେଶମୁଖ ଉକ୍ତ ବୃଦ୍ଧଙ୍କୁ ଇତଃସ୍ଥତ ଭାବେ ବୁଲୁଥିବାର ଦେଖିଥିଲେ। ତାଙ୍କୁ ସନ୍ଦେହ କରି ପଚରାଉଚରା କରିବାରୁ ସେ ତାଙ୍କ ଘର ଆଗରପଡା ବୋଲି କହି ସଠିକ ଭାବେ ଘର ଠିକଣା କହିପାରି ନଥିଲେ। ଏ ସମ୍ବନ୍ଧରେ ଉକ୍ତ ଯୁବକ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଭାପତି ତଥା ଆଇନଜୀବୀ ପୃଥିବି ରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ପୃଥିବୀ ରଞ୍ଜନ ବେହେରା ଉକ୍ତ ବୃଦ୍ଧଙ୍କ ସମ୍ବନ୍ଧରେ ପରିଷଦ ମାଧ୍ୟମରେ ବିଭିନ୍ନ ଆଡ଼େ ଯୋଗାଯୋଗ କରି ବୃଦ୍ଧଙ୍କ ଠିକଣା ପାଇ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ରାତି ପାଖାପାଖି ୧୧.୩୦ ସମୟରେ ପରିବାର ବର୍ଗ ସୋର ସ୍ଥିତ ପରିଷଦ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରବିନ୍ଦ୍ରଙ୍କ ପୁଅ ଗୋପାଳ କୃଷ୍ଣ କଟୁଆଳ ତଥା ଗ୍ରାମବାସୀ ମାନେ ଉପଯୁକ୍ତ ପ୍ରମାଣ ଦର୍ଶାଇ ବାପାଙ୍କୁ ଘରକୁ ନେଇଯାଇଥିଲେ। ନିଜ ବାପାଙ୍କୁ ୫ ଦିନ ଧରି ନପାଇ ନିରାଶ ହୋଇଥିବା ବେଳେ ଆଦର୍ଶ ଯୁବ ପରିଷଦ ପାଇଁ ନିଜ ବାପାଙ୍କୁ ଫେରି ପାଇଥିବାରୁ ରବୀନ୍ଦ୍ରଙ୍କ ପୁଅ କୃତଜ୍ଞତା ଜଣାଇଥିଲେ। ଏହି ସମୟରେ ପରିଷଦ କାର୍ଯ୍ୟାଳୟରେ ସଭାପତି ପୃଥିବୀ ରଞ୍ଜନ ବେହେରା, ସମ୍ପାଦକ ଅଞ୍ଜନ କୁମାର ଦାସ, ଜଡିଦା ଗ୍ରାମର ସଞ୍ଜୟ ଦେଶମୁଖ, ସଞ୍ଜୟ ଦଳେଇ , ମୁକ୍ତିକାନ୍ତ ପଲେଇଙ୍କ ସହ ବନ୍ତ ବ୍ଲକ ଗୋପିନାଥପୁରର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
