ବନ୍ୟା ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ପରିବାରରେ କାନ୍ଦବୋବାଳି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବନ୍ୟା ପାଣି ଛଡ଼ାଇ ନେଲା ପରିବାର ର ଏକମାତ୍ର ପୁଅ।ସୋର ବ୍ଲକ ଦହିସଡା ପଞ୍ଚାୟତ ସୁଲତାନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁତ୍ର ବିଶ୍ୱଜିତ ପାତ୍ର ଦିବା ୧୧.୩୦ ସମୟରେ ସୋର ଜେଲ୍ ପାଖରେ ଥିବା କାଂଶବାଂଶ ନଦୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ସେଇ ସମୟରେ ଗୋଡ ଖସିଯିବାରୁ ବିଶ୍ୱଜିତ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ଏହି ସମୟରେ ସାଙ୍ଗ ମାନଙ୍କ ପାଖରୁ ଖବର ପାଇଁ ବିଶ୍ୱଜିତଙ୍କ ପରିବାର ପକ୍ଷରୁ ଗ୍ରାମବାସୀଙ୍କ ଦ୍ଵାରା ଖୋଜାଖୋଜି କରିଥିଲେ। ଗ୍ରାମବାସୀଙ୍କ ତରଫରୁ ସୋର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ମାତ୍ର ସୋର ଦମକଳ ବାହିନୀ ଗାଡି ଫାଙ୍କା ନଥିବାରୁ ବାହାନଗା ଦମକଳବାହିନୀ ୩୦ ମିନିଟ୍ ବିଳମ୍ବରେ ପହଞ୍ଚି ଖୋଜାଖୋଜି କରିଥିଲେ। ପ୍ରାୟ ୧ ଘଣ୍ଟା ରୁ ଅଧିକ ସମୟ ଖୋଜାଖୋଜି କରିବା ପରେ ପୋଲ ଠାରୁ ୨୦୦ ମିଟର ଦୂରରେ କଳମ ବୁଦାରେ ବିଶ୍ୱଜିତ ଛନ୍ଦି ହୋଇ ପାଣିରେ ବୁଡ଼ି ଥିବା ଦେଖି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଥିଲେ। ପରେ ଦମକଳ ଗାଡ଼ିରେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
