ଡାକ୍ତରଖାନା ଛାତରୁ ଖସିଲା ସିଲିଂ: ମହିଳା ଆହତ, ଅଳ୍ପକେ ବର୍ତ୍ତିଲା ନବଜାତ ଶିଶୁ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସୋର ଡାକ୍ତରଖାନା ରେ ବିବାଦ ପିଛା ଛାଡୁନି, ଗତ କିଛି ଦିନ ତଳେ ଆମେ ଖବର ପ୍ରକାଶ କରିଥିଲୁ କି ସିକ୍ୟୁରିଟି ଗାର୍ଡ ପ୍ରେସର ମାପୁଥିବା ବେଳେ, ଷ୍ଟେଚର ରେ ଫୁଲ କୁଣ୍ଡ ବୁହା ହେଉଥିଲା। ହେଲେ ଆଜି ସୋର ଡାକ୍ତରଖାନା ପରିସରରେ ଥିବା ମହିଳା ଓ ଶିଶୁ ସମନ୍ୱୟ କୋଠାର ଦ୍ଵିତୀୟ ମହଲାରେ ଥିବା ୱାର୍ଡର ଛାତରୁ ସିଲିଂ ଖସି ଜଣେ ମହିଳା ଆହତ ହୋଇଥିବା ବେଳେ ତାଙ୍କର ନବଜାତ ଶିଶୁପୁତ୍ର ଅଳ୍ପକେ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ ଗତ ୨୨ ତାରିଖ ରାତିରେ ବାଗୁଡ଼ି ଅଞ୍ଚଳ ର ଜଣେ ମହିଳା ସୋର ଡାକ୍ତରଖାନା ରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ମାଆ ଓ ଛୁଆ ଙ୍କୁ ଶିଶୁ ସମନ୍ୱୟ କୋଠାର ୨ୟ ମହଲାରେ ଥିବା ୧୯ ନମ୍ବର ୱାର୍ଡରେ ବେଡ୍ ମିଳିଥିଲା। ଗତ ରାତିରେ ଛାତରୁ ସିଲିଂ ଖସି ଉକ୍ତ ବେଡ୍ ରେ ପଡ଼ିଥିଲା। ଏହି ସମୟରେ ଉକ୍ତ ପ୍ଲାଷ୍ଟର ଖଣ୍ଡଟି ଶିଶୁ ଉପରେ ପଡିବା ପୂର୍ବରୁ ମାଆ ନିଜ ମୁଣ୍ଡ ପତାଇ ଦେଇଥିଲେ। ଫଳରେ ମା ମୁଣ୍ଡ ଫାଟି ଯାଇଥିବା ବେଳେ ପିଲାଟି ବର୍ତ୍ତି ଯାଇଥିଲା। ଏନେଇ ମହିଳା ଙ୍କ ପରିବାର ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସୋର ଡାକ୍ତରଖାନା ଅଧିକ୍ଷକ କାଶୀନାଥ ପଣ୍ଡା ଙ୍କୁ ପଚାରିବାରୁ ନିମ୍ନ ମାନର କାର୍ଯ୍ୟ ପାଇଁ ଏପରି ହେଉଥିବାର ସେ କହିଛନ୍ତି, ସେ ଆହୁରି ମଧ୍ୟ କହିଛନ୍ତି କି ସେ ଖବର ପାଇବା ପରେ ଉକ୍ତ ୱାର୍ଡର ସମସ୍ତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ଏବଂ ସିଲିଂ ମଧ୍ୟ ଖୋଲା ଯାଇଛି। ଆଗାମୀ ଦିନରେ ଏହାକୁ ପୁନଃ ନିର୍ମାଣ କରାଯିବ।
