ହାତୀ ଉପଦ୍ରବ: ୧୧୦ ଡିସିମିଲ ଧାନ ଫସଲ ଦଳିଚକଟି ନଷ୍ଟ, କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ ଚାଷୀ
ମୟୁରଭଞ୍ଜ ବିଜାତଳା-:୨୯/୭ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନାଞ୍ଚଳ ଅଧୀନସ୍ଥ ଗାରଗାଡି ବିଟ୍ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ପାଉଁଶିଆ ଗ୍ରାମରେ ବଣୁଆ ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଗ୍ରାମର ଜଣେ ଗରିବ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ପାଉଁଶିଆ ଗ୍ରାମର ଚାଷୀ ମହେଶ୍ବର ସୋରେନ୍ (ପିତା- ରାଜମାଲ ସୋରେନ୍) ନିଜ କ୍ଷେତରେ ରୁଆ ଧାନ କରିଥିଲେ। ମାତ୍ର ଗତ ୨୭/୭ ତାରିଖ (ସୋମବାର) ରାତିରେ ଏକ ବଣୁଆ ହାତୀ ଜଙ୍ଗଲରୁ ବାହାରି ଆସି ତାଙ୍କ ଚାଷ ଜମିରେ ପଶି ବ୍ୟାପକ ଉପଦ୍ରବ ଚଳାଇଥିଲା। ହାତୀଟି ଦୁଇଟି ବିଲର ଆନୁମାନିକ ୫୦ ଡିସିମିଲ ଏବଂ ୬୦ ଡିସିମିଲ (ସମୁଦାୟ ୧୧୦ ଡିସିମିଲ) ଜମିର ବୁଣା ଧାନ ଓ ତୋଳିକୁ ସମ୍ପୂର୍ଣ୍ଣ ଦଳିଚକଟି ନଷ୍ଟ କରିଦେଇଛି।
ବହୁ କଷ୍ଟ ଓ ଋଣକରି ସେ ଚାଷ କରିଥିବା ବେଳେ, ହାତୀର ଏହି ବିନାଶଲୀଳା ଯୋଗୁଁ ଚାଷୀ ମହେଶ୍ବର ସୋରେନ୍ ଏବେ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି। ନିଜର ବର୍ଷସାରା ଆହାର ଯୋଗାଉଥିବା ସମ୍ବଳ ହରାଇ ସେ ଦୁଃଖ ଓ ନିରାଶାରେ ଭାଙ୍ଗିପଡ଼ିଛନ୍ତି।
ଏହି ସମ୍ବେଦନଶୀଳ ଘଟଣା ପରେ, କ୍ଷତିଗ୍ରସ୍ତ ଚାଷୀ ମହେଶ୍ବର ସୋରେନ୍ ଓ ଗ୍ରାମବାସୀ ବନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ତୁରନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି। ବନ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣର ଆକଳନ କରନ୍ତୁ ଏବଂ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ସୁନିଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର
