ବୌଦ୍ଧରେ ଶସ୍ୟ ବୀମା ସଚେତନତା ପ୍ରଚାର ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ l
ବୌଦ୍ଧ, ତା. ୨୭/୦୭
ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ର ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏସ୍ବିଆଇ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ଏକ ଶସ୍ୟ ବୀମା ସଚେତନତା ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି।
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଡନ୍ ବସ୍କୋ ପ୍ରମୁଖ ସବୁଜ ପତାକା ପ୍ରଦର୍ଶନ କରି ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କ ଫସଲକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ସମସ୍ତ ଯୋଗ୍ୟ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଏହାର ସୁବିଧା ନେବାକୁ ସେ ଆହ୍ୱାନ ଜଣାଇଥିଲେ।
ଏହି ଅଭିଯାନ ୧ ଜୁଲାଇରୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରଚାର ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ପରିଦର୍ଶନ କରି ଫସଲ ବୀମାର ବୈଶିଷ୍ଟ୍ୟ, ପଞ୍ଜୀକରଣ ପ୍ରକ୍ରିୟା, କ୍ଷତିପୂରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବ। ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ମାତ୍ର ୧ ଟଙ୍କା ପ୍ରିମିୟମ ରେ ବୀମା ସୁବିଧା ଉପଲବ୍ଧ ଥିବାବେଳେ ଅବଶିଷ୍ଟ ପ୍ରିମିୟମ୍ ରାଜ୍ୟ ସରକାର ବହନ କରୁଛନ୍ତି।ଏହି କାର୍ଯ୍ୟକ୍ରମରେ ଏସ୍ବିଆଇ ଜେନେରାଲ୍ ଇନ୍ସୁରାନ୍ସର ଜିଲ୍ଲା ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ଦାନୀ, ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ଏବଂ ଇନ୍ସୁରାନ୍ସ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
