ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
___________________
ସାରସକଣା,(୨୩/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ବଜାର ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥ ରାଜାଲୋକା ଛକ ଠାରେ ଗତ କାଲି ସଂଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ବାଜାଜ୍ ପଲସର ବାଇକ୍ ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା । ମିଳିଥିବା ସୂଚନାନୁଯାୟୀ ଝାରପୋଖରିଆ ପଞ୍ଚାୟତର ଝାଡ଼ବେଡ଼ା ଗ୍ରାମର ସ୍ୱରୂପ ମହାନ୍ତ ପ୍ରତ୍ୟେକ ଦିନ ଝରପୋଖରିଆ(ବମ୍ବେଛକ) ବଜାରକୁ କ୍ଷୀର ବିକ୍ରି କରିବା ପାଇଁ ଆସନ୍ତି । ଆଜି ମଧ୍ୟ କ୍ଷୀର ବିକ୍ରୀ କରି ଘରକୁ ଫେରିବା ବେଳେ ରାସ୍ତା ପାରି ହେବା ସମୟରେ ୧୮ ନମ୍ବର ଜାତୀୟ ରାଜପଥ ରାଜାଲୋକା ଛକ ନିକଟରେ ସଂଧ୍ୟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଜାଜ୍ ପଲସର ବାଇକ୍ ନିୟନ୍ତ୍ରଣ ହରାଇ ସାଇକେଲ ଆରୋହୀକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ସାଇକେଲ ଆରୋହୀ(ସ୍ୱରୂପ ମହାନ୍ତ) ଓ ଉକ୍ତ ପଲସର ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଲେ । ଖବର ପାଇ ଝାରପୋଖରିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଶୀର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚ଼ିକିତ୍ସା ନିମନ୍ତେ ପଠାଇଥିଲେ । ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଇକେଲ ଆରୋହୀ ସ୍ୱରୂପ ମହାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବାରିପଦା ପି.ଆର.ଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚ଼ନା ମିଳିଛି । ଅନ୍ୟପଟେ ବାଇକ୍ ଚାଳକଙ୍କ ଚିକିତ୍ସା ଶୀର୍ଷା ଡ଼ାକ୍ତରଖାନାରେ ଚାଲିଥିବାର ଜଣା ପଡିଛି । ଝାରପୋଖରିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ସାଇକେଲ ଓ ପଲସର ବାଇକ୍ କୁ ଜବତ କରି ଥାନାକୁ ଆଣିବା ସହିତ ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।ଅନୀଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
