ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପାଳିତ ।
୨୧/୦୭/୨୦୨୬.
ମାଲକାନଗିରି, କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମୱାଡ଼ା ଗ୍ରାମ ପଞ୍ଚାୟତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନ୍ତର୍ଗତ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି।
କାମୱାଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ରମାକାନ୍ତ ମାଡ଼କାମିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ କାମୱାଡ଼ା ସମେତ ଆଖପାଖର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସରକାରୀ ସୁବିଧା ସମ୍ପର୍କରେ ସୂଚନା ପାଇଥିଲେ।
ଶିବିରରେ ସିଡିଏମଓ ଡା. ଏମ୍. ଏମ୍. ଆବିଦ ହୁସେନ, ଚକ୍ଷୁ ବିଶେଷଜ୍ଞ ଡା. ଅଶୋକ କୁମାର ଖମାରୀ, ଅସ୍ଥିରୋଗ ବିଶେଷଜ୍ଞ ଡା. ଗୋଲେଖ ଛତ୍ର, ମେଡିସିନ ବିଶେଷଜ୍ଞ ଡା. ପି. କେ. ବେହେରା ଏବଂ ଇଏନଟି ବିଶେଷଜ୍ଞ ଡା. ସଲାମ୍ ଏମ୍. କେ. ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲେ।
ଏଥିସହ ନବରଙ୍ଗପୁର ଡିଡିଆରସିରୁ ଡା. ମନୋଜ କୁମାର ସେଠୀ (ପ୍ରୋସ୍ଥେଟିକ୍ ଏବଂ ଅର୍ଥୋଟିକ୍ସ ବିଶେଷଜ୍ଞ) ଏବଂ ଫିଜିଓଥେରାପିଷ୍ଟ ଡା. ଜି. ନାଗ ମଧ୍ୟ ଉପସ୍ଥିତ ରହି ଆବଶ୍ୟକୀୟ ପରାମର୍ଶ ଓ ସେବା ଯୋଗାଇଥିଲେ।
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ସହାୟକ ଉପକରଣ ଏବଂ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ମାଲକାନଗିରି ଜିଲ୍ଲାରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ।
