ଅଜଣା ଗାଡି ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ତାରପୁର ବାଇପାସ୍ ଠାରୁ ଅନତି ଦୂରରେ ଏକ ଅଜଣା ଗାଡି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୋମବାର ରାତ୍ର ଆଠ ଘଟିକା ସମୟରେ ଏପରି ଦୁର୍ଘଟଣା ଘଟିଥିଲେ ବି ପୋଲିସ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ମୃତ ଯୁବକ ଜଣଙ୍କ ହେଲେ ମୟୁରଭଂଜ ଜିଲ୍ଲା ବୈସିଙ୍ଗା ଥାନା ଖୁଣ୍ଟପୁର ଗ୍ରାମର ସୁରେନ୍ଦ୍ର ସିଂ ଙ୍କ ପୁଅ ଶଙ୍କରା ସିଂ (୩୫) ଓ ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଏହି ଥାନା ଅନ୍ତର୍ଗତ ବର୍ତ୍ତି ଗ୍ରାମର ଚୈତନ ସିଂ ଙ୍କ ପୁଅ ରାମ ସିଂ(୨୧)। ମୃତ ଶଙ୍କରା ବର୍ତ୍ତି ସ୍ଥିତ ନିଜ ବନ୍ଧୁ ଘରେ ରହି ସ୍ଥାନୀୟ ଇଟା ଭାଟିରେ କାମ କରୁଥିଲା ଓ ଉଭୟେ ପ୍ରତିଦିନ ପରି ଏକ ବାଇକରେ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ଶଙ୍କରାଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗି ମୃତ୍ୟୁ ବରଣ କରିଥିବାବେଳେ ରାମ ତଳେ ପଡି ଗୁରୁତର ହୋଇ ପଡ଼ିଥିଲେ। ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ରଘୁନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇଥିଲେ। ଏ ସମ୍ପର୍କରେ ରଘୁନାଥପୁର ଥାନାରେ କେଶ ନଂ ୧୩୩/୨୬ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛିl
