
ଦଳାଚକଟା ସମୟରେ ସାହାଯ୍ୟର ହାଥ ବଢାଇଲେ ସ୍ବେଚ୍ଛାସେବୀ
ଗଜପତି (ଟିକି ଲିମା)
ପୁରୀରେ ଲଘୁଚାପ ଜନିତ ବର୍ଷା ପାଗ ଲାଗି ରହିଥିବା କାରଣରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ପୂର୍ବାପେକ୍ଷା କମ ଜନସମାଗମ ରହିବ ବୋଲି ସମସ୍ତେ ଭାବୁଥିବା ବେଳେ ଦେଖିବାକୁ ମିଳିଥିଲା କିନ୍ତୁ ତା’ର ବିପରୀତ ଅଧିକ ଜନସମାଗମ। ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭିଡ଼ ମଧ୍ୟରେ ଫସିଯାଇ ବହୁ ଲୋକ ଅଣନିଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ ତଥା ଭିଡର ଫାଇଦା ଉଠାଇବାକୁ ଭୁଲି ନଥିଲେ କିଛି ଅସାମାଜିକ ବ୍ୟକ୍ତି। କିନ୍ତୁ ସେତିକିବେଳେ ଦେବଦୂତ ସାଜି ଆସିଥିଲେ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ର ଓ ପାରଳାଖେମୁଣ୍ଡିର ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱାଧୀନ ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରୁ ଆସିଥିବା ୩୦୦ ଜଣିଆ ସେବାପ୍ରତିନିଧି ଦଳର ସଦସ୍ୟମାନେ।
ସୂଚନାଯୋଗ୍ୟ, ଦିନ ତମାମ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ହଟ କିଶୋର ଦେହୁରୀ, ସନାତନ ମହାରଣା, ଦୁର୍ଯ୍ୟୋଧନ ସ୍ୱାଇଁ ଓ ପିତାମ୍ବର ସାହୁଙ୍କ ନେତୃତ୍ୱରେ ବଡ଼ ଦାଣ୍ଡରେ ଅଗଣିତ ଭକ୍ତମାନଙ୍କୁ ଲେମ୍ବୁ ପାଣି ତଥା ଗ୍ଲୁକୋଜ ବଣ୍ଟା ଯାଇଥିଲା। ସେହିପରି ସକାଳ ୯ଘଟିକା ସମୟରୁ ସନ୍ଧ୍ୟା ୮ଘଟିକା ପର୍ଯ୍ୟନ୍ତ ଡ଼ଃ ପ୍ରିୟବ୍ରତ ଶତପଥୀ, ଦୀପା ମହାରଣା, ଏମ୍ସ କଲ୍ୟାଣିର ଡ଼ଃ ରାଜେଶ ଜାଲି, ଏମକେସିଜିର ଡ଼ଃ ଆୟୁଷ ରଞ୍ଜନ ଓ ଅଭିଜିତ ସାହୁଙ୍କ ନେତୃତ୍ୱାଧୀନ ଡାକ୍ତରୀ ଦଳ ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇଥିଲେ। ଛତ୍ରପୁର ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ କେ. ସତୀଶ କୁମାରଙ୍କ ପ୍ରଚେଷ୍ଟା ବଳରେ ଜଣେ ଭକ୍ତ ତାଙ୍କର ସୁନା ଚେନଟିକୁ ଚୋରଙ୍କ କବଳରୁ ଫେରି ପାଇଥିଲେ ଓ ସେହି ଚୋରଙ୍କୁ ସ୍ଥାନୀୟ ଟାଉନ ପୋଲିସ ଜିମାରେ ଦିଆଯାଇଥିଲା। ସେହିପରି ଅମିତ ପାତ୍ର, ସିଲୁ ଦେହୁରୀ, କୁମାର ରେଡ୍ଡୀ ଓ ବସନ୍ତ ନାଇଡୁଙ୍କ ସହାୟତାରେ ଗ୍ଲୁକୋଜ ବଣ୍ଟନ କରାଯାଇଥିଲା। ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିଲେ ବିକାଶ ମହାରଣା, ଟୁଟୁ ନାୟକ, ହଟକିଶୋର ଦେହୁରୀ ଓ ମାନସ ନାୟକଙ୍କ ଦଳ।
ଏହି ସମସ୍ତ କାର୍ଯ୍ୟ ଇଂଜିନିୟର ବିଶ୍ୱଜିତ ପ୍ରଧାନ, ହାଇକୋର୍ଟ ଓକିଲ ବିଜୟ ଜେନା, ଲସିତ ବରଣ ବେହେରା, ସମାଜସେବୀ ମନୋଜ ମିଶ୍ର, ମାଧବ ସାସମଲ ତଥା ସଞ୍ଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିବା ୮ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଜାରିରହିଥିଲା। ପ୍ରାପ୍ତ ସୂଚନା ମୁତାବକ, ବାହୁଡା ଯାତ୍ରାରେ ମଧ୍ୟ ଏହି ଭଳି ସେବା କାର୍ଯ୍ୟ ନିଗମାନନ୍ଦ ଆଶ୍ରମ ତଥା ଲିଓରା ଫାଉଣ୍ଡେସନର ମିଳିତ ସହଯୋଗରେ ଜାରି ରହିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
