ଗୋଟିଏ ମେଡ଼ିକାଲରେ ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକଙ୍କ ଅକାଳ ବିୟୋଗ ; ବେଲଗୁଣ୍ଠା ଶିକ୍ଷା ବିଭାଗର ଶୋକର ଛାୟା
ବେଲଗୁଣ୍ଠା,୧୭/୦୭-(ଶିବରାମ ଚୌଧୁରୀ )-, ମାତ୍ର ଦୁଇଦିନ ଭିତରେ ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷକଙ୍କ ଆକସ୍ମିକ ବିୟୋଗ ବେଲଗୁଣ୍ଠା ଶିକ୍ଷା ବିଭାଗକୁ ସ୍ତବ୍ଧ କରିଦେଇଛି। ପରଲୋକ ଗମନ କରିଥିବା ଦୁଇ ଶିକ୍ଷକ ହେଲେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଶିକ୍ଷକ ବିଶ୍ୱଜିତ୍ ନାୟକ(୪୧) ଏବଂ ଘୂ ନୂଆଗାଁ ଡକ୍ଟର ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠର ଶିକ୍ଷକ ଶରତ ରାଉତ (୫୬)। ସୂଚନା ପ୍ରକାରେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଶିକ୍ଷକ ବିଶ୍ୱଜିତ୍ ନାୟକ କିଛି ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ଗତ ବୁଧବାର ଅପରାହ୍ଣ ଦୁଇ ଘଣ୍ଟା ପଞ୍ଚାବନ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ସ୍ବର୍ଗତ ନାୟକ ୨୦୦୮ ବ୍ୟାଚ୍ ର ଜଣେ ପିସିଏମ୍ ଶିକ୍ଷକ ହୋଇଥିବା ବେଳେ ସେ ବ୍ରହ୍ମପୁର ଏଏନ୍ଓ ବିଏନ୍ ଏନସିସିର ପ୍ରଥମ ଅଧିକାରୀ ରୂପେ ନିଯୁକ୍ତି ପାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ସ୍ବର୍ଗତ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ନାୟକଙ୍କ ଦୁଇଟି ଛୋଟ ଛୋଟ ପୁଅ ଥିବା ସୂଚନା ମିଳିଛି। ସେହିପରି ବ୍ଳକ୍ ର ଘୂ ନୂଆଗାଁ ସ୍ଥିତ ଡକ୍ଟର ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠର କଳାକ୍ରୀଡ଼ା ଶିକ୍ଷକ ଶରତ କୁମାର ରାଉତ କିଛି ଦିନ ହେବ ବୃକକ୍ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ନିଜ ଗ୍ରାମ ଘୁ ନୂଆଁ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ରାଜେଶ୍ ମୁଖାଗ୍ନି ଦେଇଥିଲେ। ଉଭୟ ଶିକ୍ଷକ ଜଣେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ଉଭୟଙ୍କ ବିୟୋଗରେ ସେମାନଙ୍କ ବିଦ୍ୟାଳୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅମର ଆତ୍ମାର ସଦଗତି ପାଇଁ ଛାତ୍ରଛାତ୍ରୀ ନୀରବ ପ୍ରାର୍ଥନା କରିଥିଲେ। ଉଭୟଙ୍କ ବିୟୋଗରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ,ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀ,ସ୍ନେହଲତା ବିଷୋୟୀ,ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
