ଜୟ ଜଗନ୍ନାଥ ଧୂନୀରେ ଆଗରପଡ଼ା ବାଡ ଦଣ୍ଡ ପ୍ରକମ୍ପିତ
ବନ୍ତ /ଆଗରପଡ଼ା,(ନିପ୍ର) ପ୍ରାୟ ୩ଶହରୁ ଅଧିକ ବର୍ଷ ଧରି ନିରବଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଆଗରପଡ଼ା ରଥଯାତ୍ରା ଏଥର ମଧ୍ୟ ମହାଆଡମ୍ବରରେ ସମାପନ ହୋଇଛି । ପ୍ରତିକୂଳ ପାଗ ଥିବା ସତ୍ତ୍ୱେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା । ଜୟ ଜଗନ୍ନାଥ, ହରିବୋଲ ,ହୁଳହୁଳି ଧୂନୀ ସହିତ ଭଜନ, କୀର୍ତ୍ତନ ଓ ଡାହୁକ ଡାକ ଗଗନ, ପବନ ପ୍ରକମ୍ପିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଶ୍ରୀଜୀଉ ମାନଙ୍କର ହୋଇଥିଲା । ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ ରୂପା ଖଡ଼ିକାରେ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ମାଉସୀମା ମନ୍ଦିରରେ ପହଁଞ୍ଚି ମନ୍ଦିର ବିଜେ କରିଥିଲେ । ଥାନାଧିକାରୀ ରାଜେଶ ସେଠୀ ପୋଲିସ ଫୋର୍ସ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଭୁବନେଶ୍ଵର ଲାୟନ୍ସ କ୍ଲବ ପକ୍ଷରୁ ସଭାପତି ପ୍ରଭାତୀ ଏମ ସିହ୍ନାଙ୍କ ନେତୃତ୍ୱରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହୋଇଥିଲା ।
