*ନୂଆପଡ଼ାରେ ଶିଶୁ ସୁରକ୍ଷା ୟୁନିଟ୍ର ସମୀକ୍ଷା ବୈଠକ : ନୀରଜ ସତନାମୀଙ୍କୁ ଜିଲ୍ଲାର ପ୍ରଥମ ‘ଶିଶୁ ମିତ୍ର’ ସମ୍ମାନ ପ୍ରଦାନ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୧୪/୦୭:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଡିସିପିୟୁର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା, ପୁନର୍ବାସ, ପ୍ରାୟୋଜକ ସହାୟତା, ଅନାଥ ଏବଂ ଏକକ ଅଭିଭାବକଙ୍କ ସନ୍ତାନମାନଙ୍କ କଲ୍ୟାଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯାଇଥିଲା।
ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମହାଉତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସେଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ।ସମୀକ୍ଷା ଅନୁସାରେ, ୪୧ ଜଣ ଶିଶୁଙ୍କୁ ଯଶୋଦା ଯୋଜନାରେ ସାମିଲ କରାଯାଇଥିବା ବେଳେ ୩ ଜଣ ଶିଶୁଙ୍କୁ ‘ଗ୍ରୀନ୍ ପାସେଜ୍’ ସୁବିଧା ପ୍ରଦାନ କରାଯାଇଛି। ୨ ଜଣ ଶିଶୁଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହ ସଂଯୋଗ କରାଯାଇଥିବା ବେଳେ ୧୪୩ ଜଣ ଶିଶୁଙ୍କୁ ସ୍ପନସରସିପ୍ କାର୍ଯ୍ୟକ୍ରମ ଅଧୀନରେ ସହାୟତା ପ୍ରଦାନ କରାଯାଇଛି l ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ଏକକ ଅଭିଭାବକ ଏବଂ ଅନାଥ ଶିଶୁମାନଙ୍କ ଆୟ ପ୍ରମାଣପତ୍ର ଆବେଦନଗୁଡ଼ିକର ତ୍ୱରିତ ଯାଞ୍ଚ କରି ବିଳମ୍ବ ନକରି ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା କୌଣସି ଛାତ୍ରଛାତ୍ରୀ ଯେପରି ପରୀକ୍ଷାରେ ଅନୁପସ୍ଥିତ ନ ରୁହନ୍ତୁ, ସେଥିପାଇଁ ସ୍ୱତନ୍ତ୍ର ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।
ଏହାଛଡ଼ା ଶିଶୁ ସୁରକ୍ଷା ସହ ଜଡ଼ିତ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ଯୋଗ୍ୟ ଶିଶୁମାନଙ୍କୁ ସରକାରୀ ଯୋଜନାର ସୁବିଧା ସମୟୋପଯୋଗୀ ଭାବେ ପହଞ୍ଚାଇବା ଏବଂ ସେମାନଙ୍କର ସୁରକ୍ଷା, ଶିକ୍ଷା, ପୁନର୍ବାସ ଓ ସାମଗ୍ରିକ ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ଅବସରରେ କୋମନା ବ୍ଲକର ନୀରଜ ସତନାମୀଙ୍କୁ ଏକକ ଅଭିଭାବକ ଏବଂ ଅନାଥ ବର୍ଗର ୧୦ ଜଣ ଶିଶୁଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ପ୍ରଥମ ‘ଶିଶୁ ମିତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା।ଖଡ଼ିଆଳସ୍ଥିତ ଉତ୍କଳ ବାଳାଶ୍ରମରୁ ପୁନର୍ବାସ ପାଇଥିବା ୨ ଜଣ ଶିଶୁଙ୍କୁ ମଧ୍ୟ ଅନାଥ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବୈଠକରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ, କିଶୋର ନ୍ୟାୟ ବୋର୍ଡ ଜେଜେବିର ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
