ଘେଁସ୍ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ; ସହିଦ ମାଧୋ ସିଂଙ୍କ ନାମରେ ମହାବିଦ୍ୟାଳୟର ନାମକରଣ
ବରଗଡ଼: ୧୪/୦୭(ନି ପ୍ର )ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ରବିବାର ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଶିକ୍ଷାବିତ୍, ବୁଦ୍ଧିଜୀବୀ, ଜନପ୍ରତିନିଧି, ପୂର୍ବତନ ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି।
ଏହି ଅବସରରେ ଅଞ୍ଚଳବାସୀଙ୍କ ବହୁଦିନର ପ୍ରତୀକ୍ଷିତ ଦାବି ପୂରଣ ହୋଇ ମହାବିଦ୍ୟାଳୟକୁ ପଶ୍ଚିମ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସହିଦ ମାଧୋ ସିଂଙ୍କ ନାମରେ ନାମିତ କରାଯାଇଥିବା ଘୋଷଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ଘେଁସ୍ ଅଞ୍ଚଳର ଶିକ୍ଷା ଓ ଐତିହ୍ୟ ପ୍ରତି ସମ୍ମାନର ପ୍ରତୀକ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିହିତ କରିଥିଲେ।
କାର୍ଯ୍ୟକ୍ରମରେ ଘେଁସ୍ ମାଟିର ଗର୍ବ, ଲୋକକବି ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ସରଳ ଓ ପ୍ରେରଣାଦାୟକ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ନିଜ ମାଟି, ମାତୃଭାଷା ଓ ସଂସ୍କୃତି ପ୍ରତି ସମ୍ମାନ ଏବଂ ଗର୍ବବୋଧ ରଖିବାକୁ ଆହ୍ୱାନ ଜଣାଇଥିଲେ। ଶିକ୍ଷା ସହ ନୈତିକ ମୂଲ୍ୟବୋଧ, ସମାଜସେବା ଓ ମାନବିକତାକୁ ଜୀବନର ମୂଳମନ୍ତ୍ର କରିବାକୁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଇ ଯୋଗଦେଇ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ଉଚ୍ଚଶିକ୍ଷାର ମାନ ବୃଦ୍ଧି ଏବଂ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ମତ ରଖିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବାରୁ ସେମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ।
ଏହି ଅବସରରେ ଶିକ୍ଷା, କ୍ରୀଡ଼ା, ସାହିତ୍ୟ, ସଂସ୍କୃତି ଓ ବିଭିନ୍ନ ସହପାଠ୍ୟ କାର୍ଯ୍ୟକଳାପରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଲୋକନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ନାଟିକା ଓ ସାଂସ୍କୃତିକ ପରିବେଷଣ ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ମହାବିଦ୍ୟାଳୟର ନାମକରଣକୁ ଅଞ୍ଚଳବାସୀ ଏକ ଐତିହାସିକ ପଦକ୍ଷେପ ଭାବେ ସ୍ୱାଗତ କରିବା ସହ ଏହା ଆଗାମୀ ପିଢ଼ିକୁ ସହିଦ ମାଧୋ ସିଂଙ୍କ ଆଦର୍ଶ ଓ ଦେଶପ୍ରେମ ପ୍ରତି ପ୍ରେରିତ କରିବ ବୋଲି ମତ ପ୍ରକାଶ କରିଛନ୍ତି।
