ତାଳଚେର ଶ୍ରୀକ୍ଷେତ୍ରରେ ନବଯୌବନ ଦର୍ଶନ: ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ।
ତାଳଚେର:୧୪.୭.(ନିପ୍ର) ଭଞ୍ଜଦୂତ ତାଳଚେର ସହରର ଅଧିଷ୍ଠାତ୍ରୀ ଦେବତା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ଆଜି ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରଥଗଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥିଲା।
ସ୍ନାନପୂର୍ଣ୍ଣିମା ପରଠାରୁ ଜ୍ୱରରେ ପୀଡ଼ିତ ହୋଇ ମହାପ୍ରଭୁ ଦୀର୍ଘ ୧୫ ଦିନ ଧରି ଅଣସର ଗୃହରେ ଗୁପ୍ତ ସେବାରେ ଥିଲେ। ଆଜି ସକାଳୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ମଙ୍ଗଳ ଆଳତି, ଅବକାଶ ଓ ମହାପ୍ରଭୁଙ୍କ ଚକ୍ଷୁ ଦାନ ବା ‘ନେତ୍ରୋତ୍ସବ’ ନୀତି ସମ୍ପନ୍ନ ହୋଇଥିଲା। ଦେଉଳର ଦଇତାପତି ଓ ପୂଜକମାନଙ୍କ ଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ନୂତନ ରଙ୍ଗରେ ସଜ୍ଜିତ କରାଯାଇ ନବଯୌବନ ରୂପ ପ୍ରଦାନ କରାଯାଇଥିଲା।
ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ପ୍ରଭୁ ଜଗନ୍ନାଥ ନିଜ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି। “ଜୟ ଜଗନ୍ନାଥ” ଧ୍ୱନିରେ ସମ୍ପୂର୍ଣ୍ଣ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା। ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ବା ରଥଯାତ୍ରା ଥିବାରୁ, ଆଜିର ଏହି ନେତ୍ରୋତ୍ସବ ଦର୍ଶନ ଭକ୍ତମାନଙ୍କ ମନରେ ଏକ ଆଧ୍ୟାତ୍ମିକ ଶିହରଣ ସୃଷ୍ଟି କରିଛି। ରଥଯାତ୍ରା ପାଇଁ ରଥ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁଚାରୁରୂପେ କରାଯାଇଛି।
