ରାମକୃଷ୍ଣପୁର ପଞ୍ଚାୟତରେ ବ୍ୟାପକ ନିଶା ନିବାରଣ ସଚେତନତା ଅଭିଯାନ।
ବନ୍ତ / ଆଗରପଡ଼ା: (ନିପ୍ର)ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ପରିସରରେ ଆଜି ଏକ ବ୍ୟାପକ ନିଶା ନିବାରଣ ଓ ସଚେତନତା ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜରୁ ନିଶା ଭଳି କୁଅଭ୍ୟାସକୁ ଦୂର କରି ଏକ ସୁସ୍ଥ ଓ ଆଦର୍ଶ ପଞ୍ଚାୟତ ଗଠନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ପଞ୍ଚାୟତର ସରପଞ୍ଚ ହିରେନ୍ଦ୍ର ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କେଣ୍ଡୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ, ରାମପୁର ସରପଞ୍ଚ ଗିରିଧାରୀ ସାହୁ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟା ଉନ୍ନତିବାଳା ଦାସ, ରାମକୃଷ୍ଣପୁର ଏମବିକେ ପ୍ରଜ୍ଞା ପରମିତା ନାୟକ, ରାମପୁର ଏମବିକେ ମିନତୀ ତିଆଡି,ସିରପି କମଳା ଜେନା, ସମିତିସଭ୍ୟା ଜେମାମଣି ସେଠୀ, ମନୋରଞ୍ଜନ ମହାନ୍ତି, ଆନନ୍ଦ ଚରଣ ସାହୁ, ନବ କିଶୋର ବଳ,ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ଅତିଥି ଭାବେ ଯୋଗ ଦେଇଥିଲେ। ବକ୍ତାମାନେ ନିଶା ସେବନ ଦ୍ୱାରା ଯୁବପିଢ଼ି କିଭଳି ପଥଭ୍ରଷ୍ଟ ହେଉଛନ୍ତି ଏବଂ ଏହା ଦ୍ୱାରା ପରିବାର ଉଜୁଡ଼ି ଯାଉଛି, ସେ ବିଷୟରେ ଆଲୋକପାତ କରିଥିଲେ। ନିଶା ଦ୍ୱାରା ଶରୀର ଓ ମାନସିକ ସ୍ଥିତି ଉପରେ ପଡ଼ୁଥିବା ମାରାତ୍ମକ ପ୍ରଭାବ ବିଷୟରେ ଗ୍ରାମବାସୀଙ୍କୁ ବୁଝାଇଥିଲେ।ଏହି ଅଭିଯାନରେ ପଞ୍ଚାୟତର ଶତାଧିକ ମହିଳା, ଯୁବକ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ। ଗ୍ରାମ ପଞ୍ଚାୟତ ଅଫିସ୍ ନିକଟରୁ ବାହାରି ଗ୍ରାମର ପ୍ରମୁଖ ଛକଗୁଡ଼ିକରେ ହାତରେ ପ୍ଲାକାର୍ଡ ଧରି “ନିଶା ବର୍ଜନ କରନ୍ତୁ, ଜୀବନ ବଞ୍ଚାନ୍ତୁ” ଭଳି ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ନିଜେ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରିତ କରିବାକୁ ଶପଥ ପାଠ କରିଥିଲେ। ପଞ୍ଚାୟତକୁ ସମ୍ପୂର୍ଣ୍ଣ “ନିଶାମୁକ୍ତ” କରିବା ପାଇଁ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
