ସୋର ମୂଳେଶ୍ଵର ଓ ଉତ୍ତରେଶ୍ୱରରେ ଝାମୁ ଯାତ୍ରା ସହ ଉଡ଼ା ପର୍ବ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ନିପ୍ର):ମା ବାରପଡ଼ା ନାୟିକାଣୀଙ୍କ ଝାମୁ ଯାତ୍ରା ସହ ଉଡ଼ା ପର୍ବ ସୋର ପୌରପାଳିକା ୧୩ ନଂ ୱାର୍ଡ ଅନ୍ତର୍ଗତ ମୁଳେଶ୍ଵର ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହଜାର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଉଡ଼ା ପର୍ବରେ ଉପସ୍ଥିତ ରହି ପାଟୁଆ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ମୁଖ୍ୟ ପୂଜକଙ୍କ ଅନୁସାରେ ସୁର ରାଜାଙ୍କ ଗଡ଼ ଚଣ୍ଡୀ ଦେବୀ ରୂପେ ସୁରେଶ୍ୱରୀ ପୂଜା ପାଇ ଆସୁଛନ୍ତି। ଏହି ଉଡ଼ା ପର୍ବରେ ଖଣ୍ଡା ପାଟୁଆ ନାମରେ ଏକ ସ୍ୱତନ୍ତ୍ର ଓ ନିଆରା ଧରଣର ଜଣେ ପାଟୁଆ ନିଜର ନିଷ୍ଠା ଓ ଭକ୍ତି ରୂପକ ଖଣ୍ଡାରେ ପ୍ରଦର୍ଶିତ କରନ୍ତି। ପୂର୍ବରୁ ବାରଟି ପଡ଼ାକୁ ନେଇ ଉଡ଼ା ପର୍ବ ପାଳିତ ହେଉଥିବାରୁ ଏହାକୁ ବାରପଡ଼ା ଉଡ଼ା ରୂପେ ଖ୍ୟାତ ହୋଇ ଆସିଛି। ସମଗ୍ର ସୋରରେସଂଖ୍ୟକ ୯୦ ରୁ ଉର୍ଦ୍ଧ୍ୱ ସାନ ବଡ଼ ପାଟୁଆ ମାନସିକ ପୂରଣ ପାଇଁ ମାଙ୍କ ଉଡ଼ା ଯାତ୍ରାରେ ଭାଗ ନେଇଥାନ୍ତି।ଏହି ଉଡ଼ା ପର୍ବ ଶହ ଶହ ବର୍ଷ ହେଲା ପାଳିତ ହୋଇ ଆସୁଛି। ଏହି ଉଡ଼ା ପର୍ବରେ ଦୁଇଟି ଖୁମ୍ବ ପୋତାଯାଇଥାଏ। ଉକ୍ତ ଖୁମ୍ବରେ ଘଟ ପାଟୁଆଙ୍କ ସହ ସମସ୍ତ ପାଟୁଆ ମାନେ ଉଡ଼ି ଥାନ୍ତି। ଏହି ଉଡ଼ା ପର୍ବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ କରିବାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମା ସୁରେଶ୍ୱରୀ କ୍ଲବର ସଦସ୍ୟ ମଧ୍ୟ ସହଯୋଗ କରିଥିଲେ। ସେହିପରି ସୋର ପୌରପାଳିକା ୦୨ ନଂ ୱାର୍ଡ଼ କମରପୁରରେ ଥିବା ଗ୍ରାମ ଦେବୀ ମା ବସନ୍ତେଇ ଓ ମଙ୍ଗଳାଙ୍କ ଉଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଉଡ଼ା ଯାତ୍ରାରେ ମୋଟ ୪୧ ଜଣ ପାଟୁଆ ମାନସିକ ରଖି ଭାଗ ନେଇଥିଲେ। କିମ୍ବଦନ୍ତୀ ଅନୁସାରେ ନୀଳଗିରି ଜଙ୍ଗଲରୁ ବଇଁଚ କୋଳି ଗଛର କାଠରୁ ଉଡ଼ା ଖମ୍ବ ତିଆରି ହୋଇଛି। ଉକ୍ତ ଖମ୍ବର ଉଚ୍ଚତା ପ୍ରାୟ ୪୦ ଫୁଟରୁ ଉର୍ଦ୍ଧ୍ୱ, ଯାହା ଆଜି ପର୍ଯ୍ୟନ୍ତ ବ୍ୟବହୃତ ହୋଇ ଆସୁଛି। ଏହି ଉଡ଼ା ଶହ ଶହ ବର୍ଷର ଉଡ଼ା ଭାବେ ସ୍ଥାନୀୟ ଅଞ୍ଚଳରେ ଖ୍ୟାତ।
