ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ପ୍ରକାଶିତ
ଦାବି, ଆପତ୍ତି ଅଭିଯୋଗ ତଥା ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ
ବ୍ରହ୍ମପୁର,ତା.୦୫.୦୭.୨୦୨୬ରିଖ:
ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୫ଟି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଏବଂ ଚିକିଟି ବିଧାନସଭା ନିର୍ବାଚ଼ନ ମଣ୍ଡଳୀ ନିମନ୍ତେ ଚ଼ିଠା ଭୋଟର ତାଲିକା ପ୍ରକାଶ ପାଇଛି l ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏ ସଂପର୍କିତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସୋସିଆଲ୍ ମିଡ଼ିଆ ଠାରୁ ଆରମ୍ଭ କରି ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କ ଭର୍ପୁର ଉପସ୍ଥିତି ପରିଲକ୍ଷିତ ହୋଇଥିଲା l ଉତ୍ସୁକତାର ଅବସାନ ଘଟାଇ ଉପରୋକ୍ତ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା ‘ଚ଼ିଠା ଭୋଟର ତାଲିକା’ ପ୍ରକାଶିତ ହୋଇଥିଲା l ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏ.ଡି.ଏମ୍ ସୁନିଲ୍ କୁମାର କେର୍କେଟା, ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଅତିରିକ୍ତ ଉପ ଜିଲ୍ଲାପାଳ ରୀନା କୁମାରୀ ନାଏକ, ଡ଼େପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ଼, ସୁବ୍ରତ ଶତପଥି, ତହସିଲଦାର ରାକେଶ କୁମାର ପରିଡ଼ାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ସଭା ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଉପସ୍ଥିତ ରାଜନୈତିକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ କି, ଚ଼ିଠା ଭୋଟର ତାଲିକା ପ୍ରକାଶନ ପର ପର୍ଯ୍ୟାୟ ହେଉଛି ଏସ୍. ଆଇ.ଆର୍ ପ୍ରକ୍ରିୟାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ l ତାଲିକାରେ ରହିଯାଇଥିବା ତ୍ରୁଟି ସଂଶୋଧନ, ଯୋଗ୍ୟ ଏବଂ ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି, ଅଯୋଗ୍ୟ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ମୃତ, ନକଲି ଭୋଟରଙ୍କ ନାମ ବାଦ୍ ଦେବା ପରି ପଦକ୍ଷେପ ଦ୍ଵାରା ସ୍ୱଚ୍ଛ ଭୋଟର ତାଲିକା ପ୍ରକାଶିତ ହୋଇପାରିବ l ଏଥିପାଇଁ ଚଳିତ ପର୍ଯ୍ୟାୟରେ ଆଗାମୀ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିବ l ଏହି ପର୍ଯ୍ୟାୟରେ ରାଜନୈତିକ ଦଳର ପ୍ରତିନିଧିଗଣଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ କାରଣ ବୁଥ୍ ସ୍ତରୀୟ ତର୍ଜମା କରି ସେମାନେ ଆବଶ୍ୟକ ପଦକ୍ଷେପ ଦିଗରେ ସହାୟକ ହୋଇପାରିବେ l ଏ ଦିଗରେ ସେମାନେ ସଂପୃକ୍ତ ବି.ଏଲ୍.ଓ ଙ୍କ ସହାୟତା ନେଇପାରିବେ ବୋଲି ଉପ ଜିଲ୍ଲାପାଳ କହିଥିଲେ l ଏହି ଅବସରରେ ରାଜନୈତିକ ପ୍ରତିନିଧିଙ୍କ ଦ୍ୱାରା ଉତ୍ଥାପିତ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ସନ୍ଦେହ ମୋଚ଼ନ ତଥା ଅଭିଯୋଗଗୁଡିକର ତତ୍କାଳ ସମାଧାନ ନିମନ୍ତେ ତାଙ୍କର ବ୍ୟକ୍ତିଗତ ପ୍ରୟାସ ରହିବ ବୋଲି ସେ ଆଶ୍ୱାସନା ଦେଇଥିଲେ l
