ସୋର (ଭଞ୍ଜଦୂତ, ନିପ୍ର): “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ” ଏହି ଗୀତରୁ ଜଣା ପଡ଼େ ଓଡ଼ିଶାର ଗଣ ପର୍ବ ରଜ ପର୍ବକୁ ଲୋକଙ୍କ ପର୍ବ ମଧ୍ୟ କୁହାଯାଏ। ରଜ ତିନି ଦିନ ଘରେ ଘରେ ଆମ୍ବ, ପଣସ, ମିଠା ସହ ନୂଆ ଲୁଗାର ଆସର ଜମିଥାଏ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଦିନେ ରଜ ପାଇଁ ନିଜ ଘରକୁ ସୁସାଦ୍ଵ ଜିନଷ ସହ ପିଲାଙ୍କ ପାଇଁ ଲୁଗା ସଜ ଜିନିଷ ଆଣୁଥିଲେ ହେଲେ ନିଜର ଦୃଷ୍ଟି ଶକ୍ତି ହରାଇ ଆଜି ରଜରେ ପରିବାର ମୁହଁରେ ହସ ଫୁଟାଇବାର ଆଶା ଯେମିତି ସ୍ବପ୍ନ ପାଲଟିଛି।
ଘଟଣା ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ବାଳଙ୍ଗ ଗ୍ରାମର ରମେଶ ନାୟକ ଓଡ଼ିଶା ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରି ନିଜର ପରିବାର ଚଳାଇ ଆସୁଥିଲେ। ମାତ୍ର ୨୦୨୨ ମସିହା ମେ ମାସରେ ହଠାତ ଦିନେ ଆଖିରେ ଯନ୍ତ୍ରଣା ହେଲା ଆଉ ଆଖିକୁ ଭଲ ଦେଖା ଗଲା ନାହିଁ। ଡାକ୍ତରଙ୍କୁ ଦେଖାଇଲା ପରେ ଜଣା ପଡ଼ିଲା ସେ ଆଉ ଜୀବନରେ କେବେ ଦେଖିପାରିବେ ନାହିଁ। ବିଭିନ୍ନ ରାଜ୍ୟରେ ଆଖି ଭଲ କରିବା ପାଇଁ ଯାଇ ଚିକିତ୍ସା କରାଇଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ,ଆଉ ଯାହା ତାଙ୍କର ସଞ୍ଚୟ ପୁଞ୍ଜି ଥିଲା ତାହା ଧୀରେ ଧୀରେ ସରିଗଲା। ଜଣେ ଜନ୍ମରୁ ଅନ୍ଧ ହେଲେ ସିନା ଆଗକୁ କୌଣସି କଳା କୌଶଳରେ ବଞ୍ଚି ପାରିବ ଯଦି ଜୀବନ ଅଧାରୁ ଅନ୍ଧ ହୋଇଯିବ ସେ କରିବ ବା କଣ..? ନିଜ ସକ୍ଷମରେ ବାଟ ଚାଲିବା ତ ଦୂରର କଥା କେମିତି ଆଉ ରୋଜଗାର କରି ପାରିବ…ଏହି ଠାରୁ ରମେଶ ଙ୍କ ଘର ଉପର ଅଭାବ ଅନାଟନର ଅମାବାସ୍ୟାର ରାତି ଘୋଟି ଆସିଥିଲା , ଯେଉଁ ଅମାବାସ୍ୟା ରାତି ପରେ ପୂର୍ଣ୍ଣିମାର ଚନ୍ଦ୍ର ଆଲୋକକୁ ଚାତକ ପରି ଚାହିଁ ରହିଛନ୍ତି ରମେଶ ଙ୍କ ପରିବାର। ବର୍ତ୍ତମାନ ପରିବାର କହିଲେ ଦୁଇ ଛୋଟ ଝିଅ, ବୟସ୍କ ବାପା ଓ ମା ଏବଂ ନିଜର ଜୀବନ ସାଥୀ ହତଭାଗା ସ୍ତ୍ରୀ। ବର୍ତ୍ତମାନ ରୋଜଗାର ନ ଥିବାରୁ ବେଳେବେଳେ ଘରେ ଛଅ ପ୍ରାଣୀ ଉପବାସରେ ବି କାଳାତିପାତ କରୁଛନ୍ତି ଏବଂ ଦୁଇ ଝିଅଙ୍କର ପାଠପଢ଼ା ବୋଝ ଉପରେ ନଳିତା ବିଡ଼ା ସଦୃଶ ସମସ୍ୟାର ପାହାଡ଼ ଲଦି ହୋଇ ଯାଇଛି। ଏମିତି ଏକ ଦୁଃଖଦ ଖବର ପାଇ ରାଜ୍ୟ ତଥା ସୋରର ଅଗ୍ରଣୀ ସାମାଜିକ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ରମେଶ ଙ୍କ ଘରେ ପହଂଚି ରଜ ପାଇଁ ଆମ୍ବ, ପଣସ, ମିଠା, ଦୁଇ ଝିଅଙ୍କ ପାଇଁ ନୂତନ ଡ୍ରେସ, ସଜ ସାମଗ୍ରୀ,ନଗଦ ୧୨୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ସହ ଦୁଇ ମାସର ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏମିତି ଏକ ପରିବାର ସହ ରଜ ମନାଇ, କିଛି କିଛି ଆର୍ଥିକ ସହାୟତା ଦେଇ କିଂଚିତ ହସ ଫୁଟାଇ ଥିବାରୁ ପରିବାର ତରଫରୁ ଆଦର୍ଶ ଯୁବ ପରିଷଦକୁ ଧନ୍ୟବାଦ ପୂର୍ବକ ଖୁସି ବ୍ୟକ୍ତ କରାଯାଇଥିଲା। ଶେଷରେ ସଭାପତି ପୃଥିବୀ ରଞ୍ଜନ ବେହେରା ସରକାର ତଥା ଅନ୍ୟ ସ୍ବେଛାସେବୀ ସଂଗଠନ ସହ ସମାଜର କିଛି ବଦାନ୍ୟ ବ୍ୟକ୍ତିଙ୍କୁ ଉକ୍ତ ପରିବାରକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁ ଥାନ୍ତି ତାହେଲେ ତାଙ୍କ ପତ୍ନୀ ସରୋଜିନୀ ନାୟକଙ୍କ ନାମରେ ଷ୍ଟେଟ ବ୍ୟାଙ୍କରେ ଥିବା ଆକାଉଣ୍ଟ ନଂ 32374604986,IFSC କୋଡ଼ SBIN0007980 କୁ କିମ୍ବା Phonepay ନଂ 6370399785 କୁ ଆର୍ଥିକ ସହାୟତା ପଠାଇ ପାରିବେ।
