ସଚେତନତା ବଢ଼ାନ୍ତୁ- ନିଆରା ଆପଣାନ୍ତୁ
“କୌଣସି ଯୋଗ୍ୟ ମତଦାତା ବାଦ ପଡିବେ ନାହିଁ” ବିଷୟବସ୍ତୁ ଭିତ୍ତିକ “ମତଦାତା ସଚେତନତା ପ୍ରତିଯୋଗିତା” ଆୟୋଜନ
“ଆପଣଙ୍କର ସୃଜନଶୀଳତା ମତଦାତା ଅଂଶଗ୍ରହଣକୁ ଉତ୍ସାହିତ କରିବ ତଥା ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କୁ ସାମିଲ୍ କରି ଏକ ସମାବେଶୀ ଗଣତନ୍ତ୍ର ପ୍ରତିଷ୍ଠାରେ ସହାୟକ ହେବ”
ବ୍ରହ୍ମପୁର, ତା. ୧୯.୦୬.୨୦୨୬ରିଖ: ସ୍ୱଚ୍ଛ ଭୋଟର ତାଲିକା, ସ୍ୱଚ୍ଛ ନିର୍ବାଚ଼ନ ଏବଂ ଏକ ସମାବେଶୀ ଶାସନତନ୍ତ୍ର ଲକ୍ଷ୍ୟରେ ପ୍ରଚଳିତ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର ତଥା ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା “କୌଣସି ଯୋଗ୍ୟ ମତଦାତା ବାଦ ପଡିବେ ନାହିଁ” ବିଷୟବସ୍ତୁ ଭିତ୍ତିକ ଜିଲ୍ଲାସ୍ତରୀୟ “ମତଦାତା ସଚେତନତା ପ୍ରତିଯୋଗିତା”ର ଆୟୋଜନ କରାଯାଇଛି l
ମଇ ମାସ ୩୦ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ l ମତଦାତା ସଚେତନତା ସଂପର୍କିତ ସ୍ଳୋଗାନ ପ୍ରତିଯୋଗିତା, ସ୍କିଟ୍ (ଲଘୁ ନାଟିକା) ପ୍ରତିଯୋଗିତା ଏବଂ ରିଲ୍ ପ୍ରସ୍ତୁତି ପରି ୩ଟି ବିଭାଗରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି l
ସ୍ଳୋଗାନ୍ ପ୍ରତିଯୋଗିତାର ଅଂଶଗ୍ରହଣକାରୀ ନିଜର ନାମ, ଠିକଣା ଓ ମୋବାଇଲ୍ ନମ୍ବର ସହିତ ନିଜ ପ୍ରଣୀତ ସ୍ଲୋଗାନକୁ ଇ-ମେଲ୍ ମାଧ୍ୟମରେ ପ୍ରେରଣ କରିପାରିବେ l ସେହିପରି ସ୍କିଟ୍ ପ୍ରତିଯୋଗିତାରେ ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ସ୍ଵତନ୍ତ୍ର ସଘନ ସଂଶୋଧନର ଗୁରୁତ୍ୱ,ଗଣନା ଫର୍ମ ପୂରଣ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସଂପର୍କିତ ବିଷୟବସ୍ତୁ ଉପରେ ୧ ରୁ ୫ ମିନିଟ୍ ସମୟ ଅବଧିର ଭିଡିଓ ପ୍ରସ୍ତୁତ କରି ଦାଖଲ କରିପାରିବେ l ରିଲ୍ ମେକିଂ ପ୍ରତିଯୋଗିତାର ଅଂଶଗ୍ରହଣକାରୀମାନେ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ରିଲ୍ ଅପ୍ଲୋଡ଼ କରି ନିଜର ନାମ, ଠିକଣା ଓ ଜିଲ୍ଲା ଉଲ୍ଲେଖ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟ ନିର୍ବାଚ଼ନ ଅଧିକାରୀ,ଓଡିଶାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲକୁ ଟ୍ୟାଗ୍ କରିବାକୁ ହେବ l
ଅଂଶଗ୍ରହଣକାରୀ ପ୍ରତିଯୋଗୀମାନେ ସେମାନଙ୍କ ମତଦାତା ସଚେତନତା ସମ୍ବନ୍ଧିତ ସ୍ଲୋଗାନ୍, ସ୍କିଟ୍ ଏବଂ ରିଲ୍ସ୍ ଗୁଡିକ ganjamelectionsveep@gmail.com ଇ-ମେଲ୍ ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି l
ଏଠାରେ ଉଲ୍ଲେଖଯୋଗ୍ୟ କି, ଉକ୍ତ ୩ ଟି ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କ ନିମନ୍ତେ ଆକର୍ଷଣୀୟ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି l
