“କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ” : ମତଦାତା ସଚେତନତା ପ୍ରତିଯୋଗିତା ଆୟୋଜିତ
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.) ତା. ୧୯/୦୬/୨୦୨୬: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR) ୨୦୨୬ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ “କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ମତଦାତା ସଚେତନତା ପ୍ରତିଯୋଗିତାର ଆୟୋଜନ କରାଯାଇଛି।
ଏହି ପ୍ରତିଯୋଗିତା ଚଳିତ ମାସ ୧୮ ଜୁନରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ପ୍ରତିଯୋଗିତାଟି ସ୍ଲୋଗାନ ପ୍ରତିଯୋଗିତା, ସ୍କିଟ୍ (ଲଘୁ ନାଟିକା) ପ୍ରତିଯୋଗିତା ଏବଂ ରିଲ୍ ମେକିଂ ପ୍ରତିଯୋଗିତା ଭଳି ତିନୋଟି ବିଭାଗରେ ଅନୁଷ୍ଠିତ ହେବ।
ସ୍ଲୋଗାନ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ସ୍ଲୋଗାନକୁ ଇ-ମେଲ୍ ମାଧ୍ୟମରେ ପ୍ରେରଣ କରିପାରିବେ। ସେହିପରି ସ୍କିଟ୍ ପ୍ରତିଯୋଗିତାରେ ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ସ୍ୱତନ୍ତ୍ର ଗଭୀର ସଂଶୋଧନର ଗୁରୁତ୍ୱ, ଗଣନା ଫର୍ମ ପୂରଣ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କିତ ବିଷୟବସ୍ତୁ ଉପରେ ୧ରୁ ୫ ମିନିଟ୍ ସମୟାବଧିର ଭିଡିଓ ପ୍ରସ୍ତୁତ କରି ଦାଖଲ କରିପାରିବେ।
ରିଲ୍ ମେକିଂ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିଲ୍ ଅପଲୋଡ୍ କରି ନିଜର ନାମ ଓ ଜିଲ୍ଲା ଉଲ୍ଲେଖ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଟ୍ୟାଗ୍ କରିବାକୁ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ହେଲା – ଫେସବୁକ୍: CEO Odisha, ଏକ୍ସ (X): @OdishaCeo, ଇନଷ୍ଟାଗ୍ରାମ: @odishaceo ଏବଂ ୟୁଟ୍ୟୁବ୍: Chief Electoral Officer Odisha। ପ୍ରତିଯୋଗୀମାନେ ଭିଡିଓ ସହ ନିଜର ନାମ, ଠିକଣା ଏବଂ ମୋବାଇଲ ନମ୍ବର ଉଲ୍ଲେଖ କରି dycolele.rgda.od@gmail.com ଇ-ମେଲ୍ ଠିକଣାକୁ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି।
ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ନଗଦ ପୁରସ୍କାର ପ୍ରଦାନ କରାଯିବ। ସ୍ଲୋଗାନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାମାନଙ୍କୁ କ୍ରମଶଃ ୩,୦୦୦ ଟଙ୍କା, ୨,୫୦୦ ଟଙ୍କା ଓ ୨,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ସ୍କିଟ୍ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୩୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୦,୦୦୦ ଟଙ୍କା ରହିଛି। ରିଲ୍ ମେକିଂ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ କ୍ରମଶଃ ୨୦,୦୦୦ ଟଙ୍କା, ୧୦,୦୦୦ ଟଙ୍କା ଓ ୫,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ।
ତେଣୁ ଜିଲ୍ଲାର ସମସ୍ତ ଯୁବବର୍ଗ, ଛାତ୍ରଛାତ୍ରୀ, ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏବଂ ସଚେତନ ନାଗରିକମାନଙ୍କୁ ଏହି ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ମତଦାତା ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ଏଣ୍ଟ୍ରି dycolele.rgda.od@gmail.com ଇ-ମେଲ୍ ଠିକଣାକୁ ପ୍ରେରଣ କରାଯିବ।
