*ନୂଆପଡ଼ାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ-୨୦୨୬ ସମୀକ୍ଷା ବୈଠକ: ପରିଗଣନା ଫର୍ମର ୧୦୦% ଡିଜିଟାଇଜେସନ୍ ପାଇଁ ବିଏଲ୍ଓ ହୀରାଲାଲ ପଟେଲ ସମ୍ମାନିତ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୧୧/୦୬:
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସଂଶୋଧନ ଓ ପରିଗଣନା (ଏନ୍ୟୁମେରେସନ୍) ଫର୍ମ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ନେଇ ଆଜି ନୂଆପଡ଼ା ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଉପ-ଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ (ଇଆର୍ଓ) ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ଦ୍ୱାରା ଏନ୍ୟୁମେରେସନ୍ ଫର୍ମ ବିତରଣ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ଅବସରରେ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାନୱାଟ-୨ ଅଞ୍ଚଳର ବୁଥ୍ ନଂ-୧୮୮ର ବିଏଲ୍ଓ ହୀରାଲାଲ ପଟେଲଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ଏନ୍ୟୁମେରେସନ୍ ଫର୍ମର ଶତପ୍ରତିଶତ ବିତରଣ ଓ ସଂଗ୍ରହ ସହିତ ୧୦୦ ପ୍ରତିଶତ ଡିଜିଟାଇଜେସନ୍ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଥିବା ବେଳେ, ଏହି ସମଗ୍ର ପ୍ରକ୍ରିୟାକୁ ମାତ୍ର ୧୦ ଦିନ ମଧ୍ୟରେ ଶେଷ କରି ଜିଲ୍ଲାର ପ୍ରଥମ ବିଏଲ୍ଓ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା କେବଳ କାର୍ଯ୍ୟଦକ୍ଷତାର ପରିଚାୟକ ନୁହେଁ, ବରଂ ଜନସେବା ପ୍ରତି ନିଷ୍ଠା, ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ବୋଲି ମତ ପ୍ରକାଶ ପାଇଥିଲା।ଉପ-ଜିଲ୍ଲାପାଳ କହିଥିଲେ ଯେ, ଭୋଟର ତାଲିକାର ଶୁଦ୍ଧତା ଓ ନିର୍ଭୁଲତା ଗଣତନ୍ତ୍ରର ମୂଳ ଆଧାର। ଏହି ଲକ୍ଷ୍ୟ ପୂରଣରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହୀରାଲାଲ ପଟେଲଙ୍କ ପରି ନିଷ୍ଠାପର ଅଧିକାରୀଙ୍କ ସଫଳତା ଅନ୍ୟ ବିଏଲ୍ଓମାନଙ୍କୁ ପ୍ରେରଣା ଯୋଗାଇବା ସହ ସ୍ୱତନ୍ତ୍ର ସଂଘନ ସଂଶୋଧନ-୨୦୨୬ର ସଫଳ ରୂପାୟନରେ ସହାୟକ ହେବ।
ବୈଠକରେ ଡେପୁଟି ଜ଼ିଲ୍ଲାପାଳ ନିର୍ବାଚନ ଶେଖ ନସୀମ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆର୍ଓ) ତଥା ନୂଆପଡ଼ା ବିଡିଓ ରୋହିତ ଭୋଇ, ସୁପରଭାଇଜର, ବିଏଲ୍ଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
