ଜିଲ୍ଲାପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣୀ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପଞ୍ଚାୟତ ସମିତିର ସମୁଦାୟ ମୋଟ ୨୬ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୧୧ଗୋଟି ରହିଥିବା ବେଳେ ଗ୍ରାମ ଭିତ୍ତିକ ସମସ୍ୟା ୧୫ ଗୋଟି ଅଭିଯୋଗ ଆସିଥିଲା। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟତଃ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ସେବିକାଙ୍କ ମରୁଡ଼ି ସହ ରକ୍ତ ପରୀକ୍ଷା କେନ୍ଦ୍ରରେ ସରଞ୍ଜାମର ସମସ୍ତ ସୁବିଧା ଏବଂ କର୍ମଚାରୀ ଥାଇ ମଧ୍ୟ ଘରୋଇ ରକ୍ତ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠା ଯାଉଥିବା। ଦୀର୍ଘ ବର୍ଷ ହେଲେବି ବିଧବା ମହିଳା ମାନଙ୍କୁ ଭତ୍ତା ନ ମିଳିବା ସହ ବିଦ୍ୟୁତ, ରାସ୍ତା, ପାନୀୟ ଜଳ ଭଳି ଅନେକ ସମସ୍ୟାର ଅଭିଯୋଗ ଆସିଥିଲା। ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜନଶୁଣାଣୀ ଦାଇତ୍ପ ଥିବା ଅଧିକାରୀ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୫ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ସଂସ୍ଥା ଅଂଶୁମାନ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ତହସିଲଦାର ମୋନାଲିସା ଆଚାର୍ଜି ସମେତ ସମସ୍ତ ବ୍ଳକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି ଶୁଣାଣିରେ ଉପସ୍ଥିତ ଥିଲେ।
