ଠିକାଦାରଙ୍କ ଦ୍ୱାରା ନିୟମ ଉଲ୍ଲଙ୍ଘନ: ପ୍ରଚଣ୍ଡ ଖରାରେ ଚାଲିଛି କାମ ଶ୍ରମିକଙ୍କ ଜୀବନ ଲାଗିଛି ବାଜିରେ
ବେତନଟୀ , ୮/୬: ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଅସହ୍ୟ ହୋଇ ଉଠିଥିବା ବେଳେ ବାରିପଦା ଅଞ୍ଚଳ ସର୍ବାଧିକ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରାଯାଇଛି। ଏହି ପରିସ୍ଥିତିରେ ବେତନଟୀ ବ୍ଲକର ବେତନଟୀ ବଜାର ନିକଟସ୍ଥ ବେତନଟୀ ବିଇଓ ଅଫିସକୁ ଲାଗି ରହିଥିବା ପିଏମ୍ ଶ୍ରୀ ଏମ୍ପିସି ହାଇସ୍କୁଲ୍ ହତା ଭିତରେ ଏକ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ଶ୍ରମ ବିଭାଗର ସ୍ପଷ୍ଟ ନିର୍ଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ଉଠିଛି।
ଶ୍ରମ ବିଭାଗ ପକ୍ଷରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବାହାର ଶ୍ରମ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଜାରି କରାଯାଇଥିଲା। ତଥାପି ଦିନ ପ୍ରାୟ ୧୨ଟା ୫୧ ମିନିଟ୍ ସମୟରେ ନିର୍ମାଣ ସ୍ଥଳରେ ଶ୍ରମିକମାନେ କାନ୍ଥ ଓ ଛାତ ଉପରେ ରଡ୍ ବାନ୍ଧିବା, ସିମେଣ୍ଟ ଗୋଳାଇବା ଏବଂ ସଂକ୍ରିଟ୍ ଢାଳିବା କାମ କରୁଥିବା ଦେଖାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଶ୍ରମିକଙ୍କ ପାଇଁ ଓଆର୍ଏସ୍, ଛାଇ ପାଇଁ ତମ୍ବୁ କିମ୍ବା ବିଶୁଦ୍ଧ ପାନୀର କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି।
ନିର୍ମାଣ କାର୍ଯ୍ୟ ପରିଚାଳନା କରୁଥିବା ଠିକାଦାର ଓ ସଂସ୍ଥା ପ୍ରଶାସନିକ ନୋଟିସ୍କୁ ଖାତିର କରୁନଥିବା ଅଭିଯୋଗ ଉଠିଛି। ଶ୍ରମିକମାନେ କହିଛନ୍ତି, “ସକାଳୁ ସଞ୍ଜ ଯାଏଁ କାମ କରିବାକୁ ବାଧ୍ୟ ହେଉଛୁ। କାମ ନକଲେ ମଜୁରୀ କଟା ଯିବ ଏବଂ ଘର ଚଳିବ ନାହିଁ। ସରକାର କାମ ବନ୍ଦ କରିବାକୁ କହୁଛନ୍ତି, କିନ୍ତୁ ପେଟ ପାଇଁ ଆମେ ଜୀବନ ବାଜି ଲଗାଇ କାମ କରୁଛୁ।” ସେମାନଙ୍କ ଅନୁସାରେ, କାମ ସାରିବା ସମୟର ଚାପ ଯୋଗୁଁ ନିୟମ ପାଳନ କରାଯାଉନାହିଁ।
ଏ ସଂକ୍ରାନ୍ତରେ ଜିଲ୍ଲା ଶ୍ରମ ବିଭାଗ ସହିତ ଯୋଗାଯୋଗ କରାଯିବାରୁ ଅଧିକାରୀମାନେ କହିଛନ୍ତି ଯେ, ବାରିପଦା ଶ୍ରମ ବିଭାଗ ଅଧୀନରେ ଥିବା ସମସ୍ତ ଠିକାଦାର ଓ ନିର୍ମାଣ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟା ପରେ କାମ ଚାଲିପାରିବ। ନିୟମ ଉଲ୍ଲଙ୍ଘନ କଲେ ଶ୍ରମିକମାନେ ସିଧାସଳଖ ଅଭିଯୋଗ କରିପାରିବେ। ନିର୍ମାଣ ସ୍ଥଳରେ ଓଆର୍ଏସ୍, ଥଣ୍ଡା ପାନୀ ଏବଂ ଛାଇର ବ୍ୟବସ୍ଥା କରିବା ବାଧ୍ୟତାମୂଳକ। ବିଭାଗୀୟ ଇନ୍ସପେକ୍ଟରମାନେ ନିୟମିତ ଚେକ୍ ଚଳାଉଛନ୍ତି ଏବଂ ନିୟମ ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି।
ଏହି ଘଟଣା ଗରିବ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଉନ୍ମୋଚିତ କରିଛି। ଏକାଧିକ ଶ୍ରମିକ କହିଛନ୍ତି, “ଖରାରେ ସାମାନ୍ୟ ବିଶ୍ରାମ ମିଳିଲେ ବି ପରିବାର ପ୍ରତିପୋଷଣ ପାଇଁ ଆମେ ଏପରି ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହେଉଛୁ। ସରକାର ଯଦି କାମ ବନ୍ଦ କରାଇବେ, ତେବେ ବିକଳ୍ପ ବ୍ୟବସ୍ଥା କରନ୍ତୁ।”
ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି ହେଉଥିବା ସତ୍ତ୍ୱେ ତଳ ସ୍ତରରେ ବା ଭୂମି ସ୍ତରରେ କେତେ ଦୂର କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ହେଉଛି ତାହା ଏବେ ଦେଖିବାକୁ ବାକି ରହିଛି। ଏହି ପରି ଘଟଣା ଶ୍ରମିକ ସୁରକ୍ଷା ଏବଂ ନିୟମ ପାଳନର ଗୁରୁତ୍ୱ କୁ ଆଉଥରେ ମନେ ପକାଇ ଦେଉଛି । ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ଏ ବିଷୟରେ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନ ଗତ କା୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
