(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ରାଜ୍ୟ ସ୍ତରରୁ ଜାତୀୟ ସ୍ତରକୁ ନେବା ଆମର ମୂଳ ଲକ୍ଷ୍ୟ: ସଂସ୍ଥାର କର୍ମକର୍ତ୍ତା
ଧର୍ମଗଡ଼, ୬ ଜୁନ୍:
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଐତିହାସିକ ରାଜପ୍ରାସାଦ (ରୟାଲ ପେଲେସ) ପରିସରରେ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ‘କଳିଙ୍ଗ ୱେବ୍ ମିଡିଆ ଇନସାଇଟ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସଂସ୍ଥାର ଭବ୍ୟ ସ୍ୱାଗତ ସମାରୋହ ତଥା ମେଗା ଶୁଭାରମ୍ଭ ଉତ୍ସବ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ ଏହି ପ୍ରେସମିଟ୍ର ଆୟୋଜନ କରାଯାଇଥିଲା।
ଏହି ସମ୍ମିଳନୀରେ ‘କଳିଙ୍ଗ ୱେବ୍ ମିଡିଆ ଇନସାଇଟ୍’ର ରାଜ୍ୟ ସଭାପତି ସତ୍ୟରଞ୍ଜନ ଦାସ, ରାଜ୍ୟ ଉପସଭାପତି ମୁରଲୀଧର ତାଣ୍ଡି, ରାଜ୍ୟ ସମ୍ପାଦକ ରୋହିତ କୁମାର ନିଆଲ, ଧର୍ମଗଡ଼ର ବରିଷ୍ଠ ଆଇନଜୀବୀ ତଥା କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା ଧନୀନ୍ଦ୍ର ନାଏକ, ଜିଲ୍ଲା ସଭାପତି ପୂର୍ଣ୍ଣେନ୍ଦୁ କୁମାର ମାଝୀ ଏବଂ ଯୁବ ସଂଗଠକ ଲକ୍ଷ୍ମଣ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ।
ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଆଭିମୁଖ୍ୟ, କାର୍ଯ୍ୟପନ୍ଥା ଓ ଆଗାମୀ ଅଭିବୃଦ୍ଧି ଉପରେ ଆଲୋଚନା କରି ଅତିଥିମାନେ କହିଥିଲେ ଯେ, ‘କଳିଙ୍ଗ ୱେବ୍ ମିଡିଆ ଇନସାଇଟ୍’କୁ କେବଳ ରାଜ୍ୟ ସ୍ତରରେ ସୀମିତ ନରଖି ଜାତୀୟ ସ୍ତରକୁ ପ୍ରସାରିତ କରିବା ଆମର ମୂଳ ଲକ୍ଷ୍ୟ। ନିରପେକ୍ଷ ଏବଂ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ ଜରିଆରେ ଏହି ଗଣମାଧ୍ୟମ ସଂସ୍ଥା ସମଗ୍ର ଦେଶର କୋଣ ଅନୁକୋଣରେ ନିଜର ଏକ ସ୍ୱତନ୍ତ୍ର ଓ ସ୍ପଷ୍ଟ ପରିଚୟ ସୃଷ୍ଟି କରିବ ବୋଲି ସେମାନେ ଦୃଢ଼ ଆଶା ପ୍ରକଟ କରିଛନ୍ତି। ଏଥିସହିତ ଗଣମାଧ୍ୟମର ସୂଚାରୁ ପରିଚାଳନା ଏବଂ ସାମାଜିକ ସକାରାତ୍ମକ ବିକାଶ ପାଇଁ ପ୍ରଶାସନର ସହଯୋଗ ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜିର ଏହି ପ୍ରେସମିଟ୍ ଆୟୋଜନରେ ଦୋଲାମଣି ବାଗ ଏବଂ ଭିଷ୍ମରଥି ବାଗ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି (ରବିବାର) ପୂର୍ବାହ୍ନ ୧୦ଟା ସମୟରେ ଧର୍ମଗଡ଼ ରାଜପ୍ରାସାଦଠାରେ ଏହି ମେଗା ୱେଲକମ୍ ସେରିମୋନି ବା ଭବ୍ୟ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସଂସ୍ଥାର ସମସ୍ତ ପ୍ରତିନିଧି, ସହଯୋଗୀ ଏବଂ ଗଣମାଧ୍ୟମ କର୍ମୀଙ୍କୁ ସଠିକ୍ ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଂସ୍ଥାର ଉତ୍ତରୋତ୍ତର ବିକାଶରେ ନିଜର ସର୍ବାଧିକ ଯୋଗଦାନ ଦେବାକୁ କର୍ମକର୍ତ୍ତାମାନେ ବିନମ୍ର ଅନୁରୋଧ କରିଛନ୍ତି।
