ରାଜବୋଡ଼ାସମ୍ବର ବ୍ଲକରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ର ସ୍ୱତନ୍ତ୍ର ତାଲିମ ଶିବିର
ପଦ୍ମପୁର:୦୧.୦୬(ନି ପ୍ର )
ଓଡ଼ିଶାରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ‘ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) ଅଭିଯାନ ଆରମ୍ଭ ହୋଇଛି। ପଦ୍ମପୁରର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରସ୍ଥ ଓସୱାନ୍ (OSWAN) ହଲ୍ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଇଣ୍ଟେନସିଭ୍ ରିଭିଜନ୍ (S.I.R) କାର୍ଯ୍ୟକ୍ରମ ନିମନ୍ତେ ଏକ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧୀନସ୍ଥ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କୁ ଭୋଟର ତାଲିକା ସଂଶୋଧନ ଓ ଏନୁମେରେସନ୍ ଫର୍ମର ଡିଜିଟାଇଜ୍ଡ୍ ଡାଟା ଏଣ୍ଟ୍ରି ସମ୍ବନ୍ଧରେ ଅବଗତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମହୁଲପାଲି ଗ୍ରାମ ପଞ୍ଚାୟତର ଏକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ଦୁର୍ଯ୍ୟୋଧନ ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଡିଜିଟାଲ ପଦ୍ଧତିରେ ତଥ୍ୟ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏଥିସହିତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ମେନକା ମେହେର ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ନେଇ BLO ମାନଙ୍କୁ ସଚେତନ କରିଥିଲେ।
ଏହି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ରାଜବୋଡ଼ାସମ୍ବର ବ୍ଲକରୁ ସମୁଦାୟ ୧୩୬ ଜଣ BLO ଏବଂ ୧୩ ଜଣ ସୁପରଭାଇଜର ଅଂଶଗ୍ରହଣ କରିଥିଲେ। BLO ମାନଙ୍କ ପାଇଁ ଗୋଟେ ତାଲିମ ଅନୁଷ୍ଠିତ ହୋଇଥାଏ, ମାତ୍ର ଚଳିତ ଥର କାର୍ଯ୍ୟର ସୁଗମତା ଓ ସଠିକତା ପାଇଁ ଏହି ଅତିରିକ୍ତ ତାଲିମ ଶିବିର ବ୍ଲକ୍ ପକ୍ଷରୁ ଆୟୋଜନ କରାଯାଇଥିଲା।
ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ (ADM) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲ୍ଲୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ପଦ୍ମପୁର ଡେପୁଟି କଲେକ୍ଟର ଭବାନୀ ଶଙ୍କର ମହନ୍ତ ମଧ୍ୟ ଉପସ୍ଥିତ ରହି ଉପସ୍ଥିତ କର୍ମଚାରୀମାନଙ୍କୁ ସଠିକ୍ ଭାବେ ତଥ୍ୟ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ।
