ବେତନଟୀରେ ୪୦୦ ଲିଟର ଚୋରା ମଦ ଜବତ, ମାରୁତି ଓମିନି ସହ ଦୁଇ ଜଣ ଗିରଫ
ବେତନଟୀ, ୨୫/୫: ବେତନଟୀ ଅବକାରୀ ଥାନା ପକ୍ଷରୁ ରବିବାର ରାତିରେ ବଡ଼ସାହି ଅଞ୍ଚଳରେ କରାଯାଇଥିବା ପେଟ୍ରୋଲିଙ୍ଗ ସମୟରେ ଏକ ଧଳା ରଙ୍ଗର ମାରୁତି ଓମିନି କାରରୁ ୪୦୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ବେତନଟୀ ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ଟିମ୍ ବଡ଼ସାହି ଛକ ନିକଟରେ ସନ୍ଦେହଜନକ ମାରୁତି ଓମିନି (ରେଜିଷ୍ଟ୍ରେସନ୍ ନମ୍ବର୍ ଓଆର-୦୧-ପି-୭୯୩୦) କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡି ଭିତରେ ୬ଟି ମଟର ଟିଉବ୍ରେ ଲୁଚାଇ ରଖାଯାଇଥିବା ୪୦୦ ଲିଟର ଚୋରା ଦେଶୀ ମଦ ମିଳି ଥିଲା। ଏହି ମଦ ବଡ଼ସାହି ଅଞ୍ଚଳରୁ ବାଲେଶ୍ବର ରୂପସା ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଥିଲା।
ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢ଼ଉରେ ଡ୍ରାଇଭର ବାଇଧର ସିଂ (୩୦), ପିତା ନାଲୁ ସିଂ, ଗ୍ରାମ ଚାତୁରୀ ଏବଂ ଇଶ୍ୱର ସିଂ (୫୯), ପିତା ବିକ୍ରମ ସିଂ, ଗ୍ରାମ ହରିପୁର, ରୂପସାଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ବେତନଟୀ ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଚୋରା ମଦର ଚାଲାଣ ଓ ବିକ୍ରି ସ୍ଥାନୀୟ ସ୍ୱାସ୍ଥ୍ୟ ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦଜନକ। ଏଭଳି ଅବୈଧ କାର୍ଯ୍ୟକଳାପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
