
ଲାୟନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷାରେ ଶତପ୍ରତିଶତ ସଫଳତା
ଦେବଗଡ଼ : ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ନୁଆଁପଡ଼ା ସ୍ଥିତ ଲାୟନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର CHSC Odisha ଅଧୀନରେ ଅନୁଷ୍ଠିତ +୨ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛି। ବିଦ୍ୟାଳୟର ବିଜ୍ଞାନ ଓ କଳା ଶାଖାର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିଭାବକ, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ଚଳିତ ବର୍ଷ ବିଜ୍ଞାନ ଶାଖାରୁ ୬୦ ଜଣ ଏବଂ କଳା ଶାଖାରୁ ୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଜ୍ଞାନ ଶାଖାରେ ୪୧ ଜଣ ପ୍ରଥମ ଶ୍ରେଣୀ ଓ ୧୯ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ, କଳା ଶାଖାରେ ୩୦ ଜଣ ପ୍ରଥମ ଶ୍ରେଣୀ, ୨୦ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୪ ଜଣ ତୃତୀୟ ଶ୍ରେଣୀରେ ସଫଳତା ଅର୍ଜନ କରିଛନ୍ତି।
ବିଜ୍ଞାନ ଶାଖାରେ ଦିପା ଷଣ୍ଡ ଓ ଦିପ୍ତିମଞ୍ଜରୀ ସାହୁ ସର୍ବାଧିକ ୪୬୫ ମାର୍କ ରଖି ସଂଯୁକ୍ତ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ, କଳା ଶାଖାରେ ଶ୍ରାବଣୀ ବାରିକ୍ ୪୭୯ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି।
ଏହି ଅବସରରେ ଉଚ୍ଚ ମାର୍କ ରଖିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା। କଲେଜର ପ୍ରତିଷ୍ଠାତା ଚେୟାରମ୍ୟାନ ଡ଼. ପ୍ରଶାନ୍ତ କୁମାର ପ୍ରଧାନ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା କଲେଜ ସେକ୍ରେଟାରୀ ଡ଼. ପ୍ରଫେସର ପ୍ରବୋଧ କୁମାର ପ୍ରଧାନ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରାମର୍ଶ ଓ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରିଥିଲେ।
ତଦୁପରି ସର୍ବାଧିକ ମାର୍କ ରଖିଥିବା ୩ ଜଣ ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ବିଶେଷ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଉପସ୍ଥିତ ଥିଲେ।
