*ଭିମସାରରେ ବାରମ୍ବାର ଚିକିତ୍ସାଜନିତ ଅଘଟଣ: କେନ୍ଦ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସଞ୍ଜିତ ମହାନ୍ତି*
ସମ୍ବଲପୁର (ଭଂଜଦୂତ )୨୨/୦୫: ବୁର୍ଲାସ୍ଥିତ ଭୀମସାର ରେ ସମ୍ପ୍ରତି ବାରମ୍ବାର ଘଟୁଥିବା ଚିକିତ୍ସାଜନିତ ଅଘଟଣ ଓ ରୋଗୀ ସୁରକ୍ଷାକୁ ନେଇ ବଢୁଥିବା ଚିନ୍ତା ପ୍ରକାଶ କରି ପ୍ରୋଗ୍ରେସିବ ସମ୍ବଲପୁରର ଆବାହକ ସଞ୍ଜିତ ମହାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ କିଛି ସପ୍ତାହ ମଧ୍ୟରେ ଭିମସାରରେ ଏକାଧିକ ଗୁରୁତର ଚିକିତ୍ସାଜନିତ ଅଘଟଣ ସାମ୍ନାକୁ ଆସିଛି। ସାଧାରଣ କିମ୍ବା ଛୋଟ ଅପରେସନ ପାଇଁ ଆସିଥିବା ରୋଗୀଙ୍କ ଲିଭର, ଫୁସଫୁସ ଓ କିଡନୀ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଆସିଛି। ନିକଟରେ ଚର୍ଚ୍ଚିତ ସଙ୍କେତ ସାହୁ ଘଟଣା ସହ ଗତ କିଛି ସପ୍ତାହ ମଧ୍ୟରେ ପ୍ରାୟ ୫ ଟି ଏପରି ଘଟଣା ଘଟିଥିବା ଉଲ୍ଲେଖ କରାଯାଇଛି। ଏଥିରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା କୁହାଯାଇଛି। ପଶ୍ଚିମ ଓଡିଶାର ଲକ୍ଷାଧିକ ଲୋକ ଚିକିତ୍ସା ପାଇଁ ଭିମସାର ଉପରେ ନିର୍ଭରଶୀଳ। ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ମେଡିକାଲ ସଂସ୍ଥା ହୋଇଥିଲେ ମଧ୍ୟ ଏଠାରେ ଡାକ୍ତର ଅଭାବ, ବିଶେଷଜ୍ଞ ପଦବୀ ଖାଲି ରହିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ସହ ଅତ୍ୟଧିକ ରୋଗୀ ଆଗମନ ଭଳି ସମସ୍ୟା ରହିଛି। ଏଭଳି ସ୍ଥିତିରେ ବାରମ୍ବାର ଚିକିତ୍ସାଜନିତ ଅଘଟଣ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅବିଶ୍ୱାସ ସୃଷ୍ଟି କରୁଛି।
ଏହି ଗୁରୁତର ଘଟଣାକୁ ଦୃଷ୍ଟିରେ ରଖି ସଞ୍ଜିତ ମହାନ୍ତି ରାଜ୍ୟ ସରକାରଙ୍କ ଅଧୀନରେ ଭିମସାର ବାହାରର ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏହି କମିଟି ଘଟଣାଗୁଡିକର ନିଷ୍ପକ୍ଷ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବା ସହ ଯଦି କୌଣସି ଅବହେଳା, ପ୍ରକ୍ରିୟାଗତ ତ୍ରୁଟି କିମ୍ବା ଭିତ୍ତିଭୂମି ଅଭାବ ରହିଥାଏ, ତାହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଏଥିରେ ବିଳମ୍ୱ ହେଲେ ଅନେକ ଜୀବନ ଯିବା ସହିତ ଏହା ବିରାଟ ରୂପ ମଧ୍ୟ ନେବାର ଆଶଙ୍କା ରହିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଏ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଶ୍ରୀ ମହାନ୍ତି ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ଦିଗରେ ଅତିଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସାଧାରଣ ଲୋକଙ୍କ ଭରସା ଓ ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ଏହି ପ୍ରସଙ୍ଗ ଜଡିତ ଥିବାରୁ ସରକାର ଏହାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ହସ୍ତକ୍ଷେପ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
