ବୌଦ୍ଧ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଗୁଣ୍ଡୁରୀବିଡା ଚାଷୀଙ୍କ ଧର୍ମଘଟ ପ୍ରତ୍ୟାହୃତ : ରେଳପଥ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ
ବୌଦ୍ଧ, ତା.୨୧/୦୫:
ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀବିଡା ଗ୍ରାମରେ ଆନ୍ଦୋଳନରତ ଚାଷୀମାନଙ୍କ ସହ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଫଳତାର ସହ ସମ୍ପନ୍ନ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନ ଗ୍ରାମରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ l ସୂଚନାଯୋଗ୍ୟ ଯେ,
ଏବେ ରେଳ ଲାଇନ ଯୋଗୁଁ ଗୁଣ୍ଡୁରୀବିଡା ଗ୍ରାମର ପ୍ରାୟ ୩ ଶହ ଏକର ଜମି ଜଳ ଯୋଗାଣରେ ବାଧା ସୃଷ୍ଟି ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଠାକାର ଗ୍ରାମାଞ୍ଚଳର ପ୍ରାୟ ଶହେ ଚାଷୀ ମୁଖ୍ୟତ ବର୍ଷା ଜଳ ଓ ପାହାଡରୁ ଗଡି ଆସୁଥିବା ପାଣିକୁ ଚାଷରେ ବ୍ୟବହାର କରିଥାନ୍ତି। ମାତ୍ର ଏହି ପାଣି ଅବରୋଧ ହେଲେ ଚାଷୀଙ୍କ କୃଷି କାର୍ଯ୍ୟରେ ବାଧା ହୋଇପାରେ। ଗତ କିଛି ବର୍ଷ ହେବ ପାହାଡ଼ ପାର୍ଶ୍ଵ ଦେଇ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣ ହୋଇଥିବାରୁ ପାହାଡିଆ ବର୍ଷା ପାଣି ଚାଷୀଙ୍କ କ୍ଷେତକୁ ଆସିପାରୁନାହିଁ।
ଫଳରେ ଚାଷୀ ମାନେ ରେଳ ଧାରଣା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନେଇ ଠିକାସଂସ୍ଥାକୁ ଲିଖିତ ଭାବେ ଜଣାଇଥିଲେ। ପାହାଡିଆ ପାଣିକୁ ଡ୍ରେନେଜ ପ୍ରଣାଳୀ କରି ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ଭକ୍ତ ପତ୍ରରେ ରେଳପଥ ଓ ପ୍ରଶାସନ କୁ ଅନୁରୋଧ କରିଥିଲେ l ଗତ ତିନି ଦିନ ଧରି ଗ୍ରାମବାସୀ ଓ ଚାଷୀମାନେ ରେଳପଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଧର୍ମଘଟ ଜାରି ରଖିଥିଲେ। ଏହାର ପ୍ରଭାବରେ ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ପ୍ରକଳ୍ପର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଆଜି ପ୍ରଶାସନିକ ଅଧିକାରୀମାନେ ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ଠିକାଦାର ଓ ରେଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନରତ ଚାଷୀମାନେ ନିଜର ଧର୍ମଘଟ ପ୍ରତ୍ୟାହାର କରିଥିଲେ। ଫଳରେ ବନ୍ଦ ଥିବା ରେଳପଥ ନିର୍ମାଣ କାର୍ଯ୍ୟ ପୁନର୍ବାର ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି।
ଆଲୋଚନା ସମୟରେ ଆଇନ ଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ହରଭଙ୍ଗା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କ ସମସ୍ୟାର ସମାଧାନ ସହ ଉନ୍ନୟନମୂଳକ କାର୍ଯ୍ୟ ଏବଂ ରେଳପଥ ପ୍ରକଳ୍ପକୁ ସୁଚାରୁ ଭାବେ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ ଆଶା କରାଯାଇଛି।
