*ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଲ୍ପରେ ଅଯୋଗ୍ୟ ହିତାଧିକାରିଙ୍କ ଅର୍ଥ ହରିଲୁଟ, ଜିଲ୍ଲା ପରିଷଦ ବୈଠକରେ ଆଲୋଚନା,*
ନୂଆପଡା:(ମିଖାଏଲ ନନ୍ଦ)
ତା-୨୧/୦୫
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣ ହୋଇଥିବା ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ ବିସ୍ଥାପିତଙ୍କ ନାଁରେ ଥଇଥାନ କେଲେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ୪୫ ଜଣ ମିଥ୍ୟା ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିଲା । ଏହି ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାର ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ପୂନର୍ବାସ ଓ ଥଇଥାନ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି ।୨୦୨୦ରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ କୋମନା ବ୍ଳକ ର ବେଲଗାଁ, ହରିପୁର, ଲମ୍ବିପାଣି, କାଳିମାଟି, ରଜନା ଓ ବୋଡେନ ବ୍ଳକ ଦରଗାଁର ୪୫ ଜଣ ଜାଲ ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ୨୦୨୨ ଜୁଲାଇ ୧୮ରେ ଜଳ ସମ୍ପଦ ବିଭାଗ ଚିଠିସଂଖ୍ୟା ୧୮୪୧୪ ରେ ପୂନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ତଥା ଜଳସମ୍ପଦ ବିଭାଗର ତତ୍କାଳୀନ ଅତିରିକ୍ତ ଶାସନ ସଚିବ ଆଲୋକ କର ଏହାର ତଦନ୍ତ କରିବାକୁ ତତ୍କାଳୀନ ଖଡ଼ିଆଳ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ସ୍ଵତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ପୂନର୍ବାସ ଓ ଥଇଥାନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ୧ ରେ ଜିଲ୍ଲାପାଳଙ୍କ ଚିଠିସଂଖ୍ୟା ୫୦ ରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ ରିପୋର୍ଟ ଦେଇ ନଥିବା ଅଭିଯୋଗ ହୋଇଛି। ମୃତବ୍ୟକ୍ତି ଓ ଅଜଣା ବ୍ୟକ୍ତିଙ୍କ ନାଁରେ ଥଇଥାନ ରାଶି ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବିସ୍ଥାପିତ ମାନେ କ୍ଷତିପୂରଣ ପାଇନାହାନ୍ତି, ବିଭାଗୀୟ ସରକାରୀ ଅଧିକାରୀମାନେ ଦୁର୍ନୀତି କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିର ସୋସିଆଲ ଅଡ଼ିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଗତ ୧୯ ତାରିଖରେ ଜଳ ସମ୍ପଦ ବିଭାଗ ଚିଠିସଂଖ୍ୟା ୨୬୬୨୬ ରେ ନୂଆପଡ଼ା ଜିଲ୍ଲାପାଳ, ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ସ୍ଵତନ୍ତ୍ର ଭୂ-ଅର୍ଜନ, ପୁର୍ନବାସ ଓ ଥଇଥାନ ଅଧିକାରୀଙ୍କୁ ଜଳସମ୍ପଦ ବିଭାଗ ଉପନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜୀତ ସାହୁ ରିପୋର୍ଟ ମାଗିଛନ୍ତି । ଷଷ୍ଠ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ପ୍ରଶ୍ନ କରିଛନ୍ତି ଓ ବୈଠକର ଅଧିବେସନ ବିବରଣୀ ଲିଖନ ରେ ସ୍ଥାନ ଦେଇ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
