ତାରିଣୀଙ୍କ ପୋଖରୀ ଜମି ଖନନକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ
ରିଆମାଳ, ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅଧୀନ ଗରିଆପାଲି ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୋଖରୀ ଜମିକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ପୋଖରୀ ଜମିରେ ଜେସିବି ମେସିନ ସାହାଯ୍ୟରେ ମାଟି ଖନନ କାର୍ଯ୍ୟ ହେଉଥିବାକୁ ନେଇ ଗ୍ରାମବାସୀମାନେ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ନାରାୟଣ ବେହେରା, ଲୋକନାଥ ବେହେରା, ହରିହର ବେହେରା ଏବଂ ଶଙ୍କର୍ଷଣ ବେହେରା, ପିତା ସ୍ୱର୍ଗତ ଦୟାନିଧି ବେହେରା, ହାଇଟେକ୍ ସର୍ଭେ ସମୟରେ ଚଞ୍ଚକତା କରି ମା ତାରିଣୀ ମନ୍ଦିରର ପୋଖରୀ ଜମିକୁ ନିଜ ନାମରେ ରେକର୍ଡ କରାଇ ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତ ମେ ୧୯ ତାରିଖରେ ଉକ୍ତ ଜମିରେ ଖୁଣ୍ଟ ପୋତି ସୀମା ନିର୍ଦ୍ଧାରଣ କାର୍ଯ୍ୟ କରାଯାଇଥିଲା। ପରେ ଆଜି ପୁଣି ଜେସିବି ମେସିନ ଲଗାଇ ମାଟି ଖନନ କାର୍ଯ୍ୟ ଆରମ୍ଭ ହେବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ପ୍ରତିବାଦ କରିଥିଲେ।
ଏହି ଘଟଣାକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଦେବଗଡ଼ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରାଜସ୍ୱ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟ ଓ କୁଣ୍ଡେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଗ୍ରାମବାସୀମାନେ ମା ତାରିଣୀଙ୍କ ପୋଖରୀକୁ ସୁରକ୍ଷା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ।
